ଓଡ଼ିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ୧୫ତମ ଦ୍ୱିବାର୍ଷିକ ସମ୍ମଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓଡ଼ିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ୧୫ତମ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟଧାରା ଏବଂ ସେମାନଙ୍କର ୪ ଦଫା ଦାବି ସମ୍ବଳିତ ସମସ୍ତ ପ୍ରକାର ଆଲୋଚନା, ପର୍ଯ୍ୟାଲୋଚନା ଏହି ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଆଦିବାସୀ ଓ ଆଇନ୍ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଯୋଗଦେଇ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟନୀଷ୍ଠାର ପରାକାଷ୍ଠା ଦେଖାଇ ଓଡ଼ିଶା ସରକାର ତଥା ରାଜ୍ୟର ସମ୍ମାନ ଏବଂ ଗୌରବ ବୃଦ୍ଧି କରିଛନ୍ତି ତାହାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସାଧାରଣ ସମ୍ପାଦିକା ମମତା ନାୟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ସଂଘର ୪ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଉପସ୍ଥାପନ କରିଥିଲେ । ଦାବିଗୁଡ଼ିକ ମଧ୍ୟରେ (୧) କ୍ୟାଡ଼ର ରୁଲ୍‌କୁ ପରିବର୍ତ୍ତନ କରାଯାଇ ୪ଟି ପଦୋନ୍ନତି ପଦର ପ୍ରଚଳନ କରିବା (୨) ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ସର୍ବନିମ୍ନ ଯୋଗ୍ୟତା ଡ଼ିପ୍ଲୋମା ଏଏନ୍‌ଏମ୍ ଟ୍ରେନିଂ ହୋଇଥିବାରୁ ଠିକା ନିଯୁକ୍ତି ସମୟରେ ଗ୍ରେଡ୍ ପେ ୨ ହଜାର ଟଙ୍କା ବଦଳରେ ୨ହଜାର ୪ ଶହ ଟଙ୍କା ପ୍ରଦାନ କରିବା ଏବଂ ବର୍ଗୀକରଣ ଅନୁଯାୟୀ ନିଯୁକ୍ତି ଦେବା (୩) ପୋଷାକ ଭତ୍ତା ତୁରନ୍ତ ଲାଗୁ କରିବା (୪) ଆନ୍ତଃଜିଲ୍ଲା ବଦଳି ନିୟମକୁ ସରଳ ଓ ସ୍ୱଚ୍ଛ ବଦଳୀ ନିତି ପ୍ରଣୟନ କରିବା । ମାନ୍ୟବର ଆଦିବାସୀ ଓ ଆଇନମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ସଂଘର କାର୍ଯ୍ୟଧାରା, ସମସ୍ୟା ଓ ଏବଂ ଦାବିଗୁଡ଼ିକ ଉପରେ ବକ୍ତବ୍ୟ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କର ସବୁ ସମସ୍ୟା ଗୁଡ଼ିକୁ ପୂରଣ କରିବା ଦିଗରେ ଅଗ୍ରାଧିକାର ଭିତ୍ତିରେ ଚିନ୍ତା କରୁଛନ୍ତି ଏବଂ ଆପଣମାନଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରଶଂସା କରି ଆସୁଛନ୍ତି ଶ୍ରୀ ସାରକା ମତବ୍ୟକ୍ତ କରିଥିଲେ । ସେହିପରି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ ନିଜ ବକ୍ତବ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କର ନିଷ୍ଠାପର କାର୍ଯ୍ୟ ଏବଂ ସେବା ମନୋବୃତ୍ତି ଯୋଗୁ ଆଜି ଓଡ଼ିଶାର ଘରେ ଘରେ ପ୍ରଶଂସନୀୟ ହୋଇଛନ୍ତି ଏବଂ ସରକାର ଆପଣମାନଙ୍କ ଦାବି ଖୁବ୍ ଶୀଘ୍ର ପୂରଣ କରିବା ସଙ୍ଗେ ସଙ୍ଗେ ଆଗାମୀ ବିଧାନସଭା ସମୟରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଏବଂ ଅର୍ଥ ବିଭାଗର ମନ୍ତ୍ରୀ ଓ ଶାସନ ସଚିବଙ୍କ ସହିତ ଏ ବିଷୟରେ ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ