ଖରିଫ ଧାନ ଚାଷ ପାଇଁ ଚାଷୀ ତରତର : ବିପର୍ଯ୍ୟସ୍ତ ଅବସ୍ଥାରେ ଜଳସେଚନ ପଥ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ସାଧାରଣତଃ ରଜ ପରେ ଖରିଫ ଧାନ ଚାଷ ପାଇଁ ଚାଷୀ ଏବେ ତରତର ହେଉଥିବା ବେଳେ ବିପର୍ଯ୍ୟସ୍ତ ଜଳସେଚନ ପଥକୁ ନେଇ ସମସ୍ତେ ଏବେ ଚିନ୍ତିତ। ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ୧୭ହଜାର ହେକ୍ଟର ଚାଷ ଜମିରେ ପ୍ରତ୍ୟକ ବର୍ଷ ଖରିଫ ଧାନ ଚାଷ ହୋଇଥାଏ । ପରିବର୍ତ୍ତିତ ଜଳବାୟୁ ଯୋଗୁ ଠିକ ସମୟରେ ବର୍ଷା ହେଉନଥିବାରୁ ଚାଷୀ ଭାଇ ମାନେ କେନାଲ ପାଣି ଉପରେ ଭରସା କରି ଚାଷ କରିଥାନ୍ତି । ପରିତାପର ବିଷୟ ବ୍ଲକ ଅଂଚଳର ସମସ୍ତ କେନାଲ ଗୁଡିକ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ଦେଖାଯାଉଛି । ଧାମନଗର, ଆଖୁଆପଦା ଓ ଶଳଣିଆ ଜଳସମ୍ପଦ ବିଭାଗ ହାତରେ ପୃଥକ ପୃଥକ ଭାବେ ସମସ୍ତ କେନାଲର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଥିଲେ ସୁଦ୍ଧା ଯନ୍ତ୍ରୀ ମାନେ ଏହା ଉପରେ ନଜର ଦେଉନଥିବା ଅଭିଯୋଗ ହେଉଛି। କେଉଁଠି ମାଇନର ଓ ସବମାଇନର ସଫା ହୋଇନାହିଁ ତ ପୁଣି କେଉଁଠି ମୁଖ୍ୟ କେନାଲର ପୁରୁଣା ଘାଇ ଏଯାଏଁ ପୋତା ଯାଇନାହିଁ। କେନାଲ ଗୁଡିକରେ କଳମ ଲଟି ମାଡିଯାଇଥିବା ବେଳେ ଅନେକ ବନ୍ଧ ମଧ୍ୟ ଦୁର୍ବଳ ରହିଛି। ଵିଶେଷ କରି ୩ନଂ ମୁଖ୍ୟ କେନାଲର ଜଳ ସୁପରିଚାଳନା ପାଇଁ ଯେଉଁ ଲୁହା ସଟର କବାଟ ଗୁଡିକ ରହିଛି ତାହା ଏବେ କଳଙ୍କି ଲାଗି ନଷ୍ଟ ହୋଇଗଲାଣି । ଏହାଛଡା ମୁଖ୍ୟ କେନାଲରୁ ଶାଖା କେନାଲ ଗୁଡିକୁ ଯାଇଥିବା ଜଳନିଷ୍କାସନ ପଥ ଗୁଡିକ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ବଡ଼ ବଡ଼ ଟେଣ୍ଡର କାମରେ ଯନ୍ତ୍ରୀ ମାନେ ସମୟ ବିନିଯୋଗ କରୁଥିବା ବେଳେ କେନାଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଣି ପଞ୍ଚାୟତ କରିବ ବୋଲି କହି ନିଜ ଦାୟିତ୍ବରୁ ହଟି ଯାଉଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଏଭଳି ଦାୟିତ୍ୱ ହୀନତା ଯୋଗୁ ବର୍ଷବର୍ଷ ଧରି କେନାଲ ଗୁଡିକ ରୁଗ୍ଣ ଅବସ୍ଥାରେ ପଡିରହିଛି । ଏବେ ଚାଷୀ ମାନେ ଇନ୍ଦ୍ର ଦେବତାଙ୍କୁ ଭରସା କରି ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବେଳେ କେନାଲ ଗୁଡିକୁ ଯଥାଶୀଘ୍ର ମରାମତି ପାଇଁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ