ବିନା ଲାଇସେନ୍ସରେ ଔଷଧ ଦୋକାନ ଚାଲିଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଔଷଧ ଦୋକାନ କରିବା ପାଇଁ ଯେଉଁ ଲାଇସେନ୍ସର ଆବଶ୍ୟକତା ରହିଛି ତାହା ହାସଲ ନ କରି କେତେକ ଔଷଧ ଦୋକାନୀ ବ୍ୟବସାୟ କରୁଥିବା ଦେଖାଯାଇଛି । ସେହିପରି କେତେକ ଦୋକାନରେ ବେନାମୀ କମ୍ପାନୀର ଔଷଧ ମଧ୍ୟ ରଖାଯାଇ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ରୋଗୀଙ୍କ ଜୀବନ ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି କେନ୍ଦ୍ରାପଡା ଡ୍ରଗ ଇନ୍ସପେକ୍ଟରଙ୍କ ନିକଟରେ ଅଭିଯୋଗ ହୋଇଛି । ସମାଜସେବୀ ତପନ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗଣ୍ଡାକିଆ, ଏରା, କଂସାରରେ କେତେକ ଔଷଧ ଦୋକାନ ଖୋଲିଛି । ଏହି ଔଷଧ ଦୋକାନଗୁଡିକରେ ନିମ୍ନମାନର ଔଷଧ ରଖି ବିକ୍ରି କରାଯାଉଛି । ଏଥିସହ ଏହି ଦୋକାନ ଗୁଡିକର ବୈଧ ଲାଇସେନ୍ସ ମଧ୍ୟ ନାହିଁ । ଏହି ଦୋକାନଗୁଡିକ କରିଥିବା ବ୍ୟକ୍ତିମାନେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କୁ ସେବା ଆଳରେ ଲୁଟ୍ କରି ଚାଲିଛନ୍ତି । ଏହାଦ୍ୱାରା କେତେବେଳେ ଯେ ରୋଗୀର ଜୀବନ ବିପଦରେ ନ ପଡିବ ତାହା କହିହେବ ନାହିଁ । ତେଣୁ ଏହି ବେଆଇନ୍ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନିକଟରେ ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଡ୍ରଗ ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଆମ ନିକଟରେ ଅଭିଯୋଗ ହୋଇଛି । ଆମେ ନିୟମିତ ବ୍ୟବଧାନରେ ଚଢାଉ କରୁଛୁ । କେନ୍ଦ୍ରାପଡ଼ାରେ ଗୋଟିଏ ଦୋକାନ ମଧ୍ୟ ଆମେ ସିଲ କରିଥିଲୁ । ଏହି ଯେଉଁ ଅଭିଯୋଗ ଆସିଛି ତାହାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ