ଇଣ୍ଡିଆ ବୁକ ଅଫ୍ ରେକର୍ଡରେ କେନ୍ଦ୍ରାପଡ଼ାର ସାଗର ପ୍ରଧାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ାର ସାଗର ପ୍ରଧାନ । ପରିବେଶ ସଫେଇ କରି ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ପରିବେଶ ସଫେଇ ସହ ବେଳାଭୁମି ସଫେଇ କାର୍ଯ୍ୟ ମଧ୍ୟ ସେ କରିଛନ୍ତି । ଏଥିସହ ଚାରା ରୋପଣ, ପୋଖରୀ ସଫେଇ, ମୃତ୍ତିକା କ୍ଷୟ ରୋକିବା, ଇଲେକ୍ଟ୍ରୋନିକ ଓ ଡାକ୍ତରୀ ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ରିସାଇକ୍ଲିଂ କରିବା, କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ପ୍ରଭୃତି ଦିଗରେ ସେ କାର୍ଯ୍ୟ କରିଛନ୍ତି । ଏଥିସହ ସେ ଉପରୋକ୍ତ ଦିଗରେ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଏ ସଂକ୍ରାନ୍ତରେ କେତେକ ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି । ପରିବେଶ ସୁରକ୍ଷା ଦିଗରେ ନିଜର ପ୍ରଚେଷ୍ଟା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୨ରେ ତାଙ୍କ ନାମ ଲିପିବଦ୍ଧ ହୋଇଛି । ତାଙ୍କୁ ଜାତିସଂଘ ବିଶ୍ୱ ପରିବେଶ ଦିବସ ହିରୋ-୨୦୨୦ ଭାବେ ନାମିତ କରିଥିଲା । ସେହିପରି ସେ ଲଣ୍ଡନର କୋଲ୍ଟ ଟେକ୍ନୋଲୋଜିର ମୁଖ୍ୟ କେରୀ ଗିଲ୍ଟର ଏବଂ ପ୍ରସିଦ୍ଧ ପୋଲାର ଏକ୍ସପ୍ଲୋରର ରବର୍ଟ ସ୍ୱାନଙ୍କ ଦ୍ୱାରା କ୍ଲାଇମେଟ୍ ଫୋର୍ସ ସବଷେଟନ୍‌ସିଆଲିଟି ୨୦୪୧ ଚାମ୍ପିୟନ ତାଲିକାର ଶ୍ରେଷ୍ଠ ୩ ତାଲିକାରେ ସ୍ଥାନ ପାଇଥିଲେ । ସାଗର ପ୍ରଯୁକ୍ତି ବିଦ୍ୟା, ଇଣ୍ଟରନେଟ୍ ଅଫ ଥିଙ୍ଗସ, ଇଲେକ୍ଟ୍ରାନିକ ବର୍ଜ୍ୟବସ୍ତୁ ପରିଚାଳନା, ଅନ୍ତରୀକ୍ଷ ବିଜ୍ଞାନ ଉପରେ ପୁସ୍ତକ ରଚନା କରି ବହୁ ପ୍ରସଂଶା ପାଇଛନ୍ତି । ସେହିପରି ସେ ଇୟୁ ଆନ୍ତର୍ଜତୀୟ ଲେଖକ ସମ୍ମାନ ମଧ୍ୟ ପାଇଛନ୍ତି । ସାଗର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ନିରନ୍ତର ଚେଷ୍ଟା ଅବ୍ୟାହତ ରଖିବା ଦ୍ୱାରା ତାଙ୍କୁ ଏହି ସଫଳତା ମିଳିଛି । ବର୍ତ୍ତମାନର ଯୁବପିଢିିଙ୍କ ପାଇଁ ସେ ବାର୍ତ୍ତା ଦେଇଛନ୍ତି ଯେକୌଣସି କାର୍ଯ୍ୟ କରିବ, ତାହା ଉପରେ ନିଜର ମନୋନିବେଶ କଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ । ସାଗର ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଅଢଙ୍ଗା ମଲ୍ଲିକେଶ୍ୱରପୁର ଗ୍ରାମର ତପନ ପ୍ରଧାନ ଓ ବିଦୁଲତା ପ୍ରଧାନଙ୍କ ଏକମାତ୍ର ପୁତ୍ର । ସେ ସାଲେପୁର କଲେଜରେ ଯୁକ୍ତ ଦୁଇ ଅଧ୍ୟୟନ ଶେଷ କରିବା ପରେ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ କରିଥିଲେ । ଏହାପରେ ବାଙ୍ଗାଲୋରରେ ଏମ୍‌ବିଏ କରିଥିଲେ । ବର୍ତ୍ତମାନ ସେ ଲଣ୍ଡନର କମ୍ପାନୀ କୋଲ୍ଟରେ ଟେକ୍ନିକାଲ ହେଡ୍ ଭାବେ ବାଙ୍ଗାଲୋରରେ କାର୍ଯ୍ୟରତ ଅଛନ୍ତି । ଆଗକୁ ତାଙ୍କର ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ