ଦୁଷ୍କର୍ମ ପୀଡ଼ିତାଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଂଚଳରେ ଗତ ଶନିବାର ଜଣେ ନାବାଳିକାକୁ ଆଳୁ ଦେବାକୁ ଡ଼ାକି ଦୋକାନ ଭିତରେ ଦୁଷ୍କର୍ମ କରିଥିବା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଗୁରୁବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହିଞ୍ଜିଳି ଗ୍ରସ୍ତ କରି ପୀଡ଼ିତା ପରିବାରକୁ ଆର୍ଥିକ ସହାୟତା ସହ ସୁରକ୍ଷା ଦାବି କରାଯାଇଛି । ଦୁଷ୍କର୍ମ ଶିକାର ପୀଡ଼ିତାଙ୍କ ପରିବାରକୁ ଶୁକ୍ରବାର ରେଡ଼କ୍ରସ ପକ୍ଷରୁ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ସହାୟତା ପ୍ରଦାନ କରାଯାଇଛି ବୋଲି ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି । ନାବାଳିକା ଜଣକ ଚିକିତ୍ସା ହେଉଛନ୍ତି ସେ ସୁସ୍ଥ ହେବା ପରେ ତାଙ୍କୁ ଭଲ ସ୍କୁଲରେ ପାଠପଢ଼ା ଓ ଅନ୍ୟାନ୍ୟ ସୁବିଧା କରାଯିବ ବୋଲି ବିଡ଼ିଓ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଘଟଣାକୁ ବ୍ଲକ କଂଗ୍ରେସ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ବ୍ଳକ ସଭାପତି ପଦ୍ମ ଚରଣ ସାହୁ ନିନ୍ଦା କରିବା ସହ ଘଟଣାକୁ ଚପାଇବାକୁ ଉଦ୍ୟମ କରୁଥିବା ଓ ପ୍ରମାଣ ନଷ୍ଟରେ ସହାୟତା କରିଥିବା ଶାସକ ଦଳର ବ୍ୟକ୍ତି ମାନଙ୍କୁ ତଦନ୍ତ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏଥିସହ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ ମାଇନା ଅଲଗା ଅଲଗା ଡ଼ାକ୍ତରଖାନାରେ କରାଯିବା ଦୋଷୀଙ୍କୁ ଘଂଟ ଘୋଡ଼ାଯିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସାହୁ ଅଭିଯୋଗ କରିଛନ୍ତି ।


