ଜିଲ୍ଲା ପରିଷଦର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ୱାସନ୍, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରାଙ୍କ ସମେତ ସମସ୍ତ ବ୍ଲକର ବିଡିଓ, ଏଇଇ, ଏପିଓ ମାନେ ଉପସ୍ଥିତ ରହିଥିଲେ । ସମୀକ୍ଷାରେ ମୁଖ୍ୟତଃ ଏମନରେଗା, ଗ୍ରାମୀଣ ଗୃହ ଯୋଜନା, ଗ୍ରାମୀଣ ପାର୍କ, ଗ୍ରାମୀଣ ପୋଖରୀ, ମିନି ଷ୍ଟାଡିୟମ, ମିଶନ ଶକ୍ତି, ଅଙ୍ଗନବାଡି କେନ୍ଦ୍ର, ରୋଡ୍ ମରାମତି, ସ୍କୁଲ ମରାମତି, ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଆଲୋଚନା କରିଥିଲେ । ବ୍ଲକ ସ୍ତରରେ ବିଡିଓ ମାନେ ସଠିକ୍ ଭାବେ ସମସ୍ତ ଅଧିକାରୀ ମାନଙ୍କୁ ନେଇ ଏ ବିଷୟରେ ସମୀକ୍ଷା କଲେ କାର୍ଯ୍ୟ ଗୁଡିକ ସ୍ୱଚ୍ଛ ଓ ନିର୍ଦ୍ଦିଷ୍ଠ ସମୟସୀମା ମଧ୍ୟରେ ଶେଷ ହୋଇପାରିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ୨୨ ଟି ବ୍ଲକ ମଧ୍ୟରୁ ୧୫ ଟି ବ୍ଲକରେ ମିନି ଷ୍ଟାଡିୟମ କାମ ଶେଷ ହୋଇଥିବା ବେଳେ ୪ ଟି ବ୍ଲକରେ କାର୍ଯ୍ୟ ଆରମ୍ଭ ହୋଇଛି । ଆଉ ୩ ଟି ବ୍ଲକରେ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ମୁଖ୍ୟ ଉନ୍ନୟନ ଅଧିକାରୀ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ଏହି ବ୍ଲକ ଗୁଡିକରେ ମିନି ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଅଂଚଳର ବିଡିଓ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ୫୦୫୦ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୩୫୦୯ କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବଳକା କେନ୍ଦ୍ର ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏହି କେନ୍ଦ୍ର ଗୁଡିକରେ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ, ବିଦ୍ୟୁତ, ପାଚେରୀ , ଟଏଲେଟ ନିର୍ମାଣ ହୋଇଛି କି ନାହିଁ ତାହାର ମଧ୍ୟ ଆଲୋଚନା ହେବ ସହ ଯେଉଁ ଗୁଡିକରେ ହୋଇନି ତାହା ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଭୟ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଚାଲିଥିବା ମିଶଣ ଶକ୍ତି ଗୃହର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି । ୫୩୪ ଟି ମିଶନ ଶକ୍ତି ଗୃହ ମଧ୍ୟରୁ ୩୭୫ ଟି ଗୃହର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ୨୯୨ ଟି ମିଶନ ଶକ୍ତି ଗୃହ ଅଂଚଳର ସିଡିପିଓ ମାନଙ୍କୁ ହସ୍ତାନ୍ତର କରାଯାଇଛି । ୯୫ ଟି ମିଶନ ଶକ୍ତି ଗୁଡିକରେ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ, ଟଏଲେଟ ର ବ୍ୟବସ୍ଥା ନଥିବାରୁ ତୁରନ୍ତ ଏହାର ସୁବ୍ୟବସ୍ଥା କରିବା ନିମନ୍ତେ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୮୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମ୍ୟାଣ୍ଟ କେନ୍ଦ୍ର ନିର୍ମାଣ ନିମନ୍ତେ ହାତକୁ ନିଆଯାଇଥିବା ବେଳେ ସେଥି ମଧ୍ୟରୁ ୩୬ ଟି କେନ୍ଦ୍ରରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ ୪୯ ଟି କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ଏହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ପଂଚାୟତ ଆୱାର୍ଡ – ୨୦୨୨-୨୩ ନିମନ୍ତେ ସମସ୍ତ ପଂଚାୟତ ସ୍ତରେ ବିଭୀନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନେଇ ଡାଟାବେଶ୍ ପ୍ରସ୍ତୁତ କରିବା ସହିତ ୯ ଟି କେଟେଗେରୀ ରେ ବିଭିନ୍ନ ପ୍ରଶ୍ନର ଉତ୍ତର ଗୁଡିକ ପୋର୍ଟାଲରେ ଲୋଡ୍ କରିବା ନିମନ୍ତେ ଏହି ବୈଠକରେ କୁହାଯାଇଛି । ସେହିପରି ଏହି ବୈଠକରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା, ଗ୍ରାମୀଣ ପାର୍କ, ଗ୍ରାମୀଣ ପୋଖରୀ, ଗ୍ରାମୀଣ ଗୃହ ଯୋଜନା ଭଳି ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।