ଭୋଟର କାର୍ଡ ସହ ଆଧାର ସଂଯୋଗ ପ୍ରକ୍ରିୟାର ବୁଥ ଓ୍ବାରୀ ସମୀକ୍ଷା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆଗାମୀ ୨୦୨୨ ନଭେମ୍ବର ୯ ରୁ ଡିସେମ୍ବର ୮ ତାରିଖ ମଧ୍ୟରେ ହେବାକୁ ଥିବା ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ୧୭ ବର୍ଷରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ମାନେ ୨୦୨୩ବର୍ଷ ପାଇଁ ଆଗୁଆ ନାମ ପଞ୍ଜିକରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ଚଳିତ ବର୍ଷ ଜାନୁଆରୀ,ଏପ୍ରିଲ,ଜୁଲାଇ ଓ ଅକ୍ଟୋବର ୧ତାରିଖ ସୁଦ୍ଧା ଯେଉଁମାନେ ୧୮ବର୍ଷରେ ପଦାର୍ପଣ କରୁଛନ୍ତି ସେମାନେ ନୂତନ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ-୬ ବି ରେ ଆବେଦନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ପକ୍ଷରୁ କୁହାଯାଇଛି।ଏଥିପାଇଁ ଏନଭିଏସପି/ ଭୋଟର ହେଲ୍ପ ଆପ ଡାଉନଲୋଡ କରି ନିଜ ନିଜ ନାମ ପଞ୍ଜିକରଣ କରିବା ସକାଶେ ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଭୋଟର କାର୍ଡ ସହ ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି।ହିଞ୍ଜିଳିକାଟୁ ବ୍ଲକ ଓ ପୋୖରାଞ୍ଚଳ ମଣ୍ଡଳୀ ୱାରୀ ଭୋଟର କାର୍ଡ ସହ ଆଧାର ସଂଯୋଗ ପ୍ରଦର୍ଶନ ପ୍ରକ୍ରିୟା ବେଳେ ପଛରେ ଥିବା ବୁଥ ଗୁଡ଼ିକର ସ୍ଥିତି କିପରି ରହିଛି ସେ ସମ୍ପର୍କରେ ଶୁକ୍ରବାର ଏକ ସମୀକ୍ଷା ବୈଠକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ପରିସରରେ ଅନୁଷ୍ଠିତ ହୋଇଥିଲା।ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବୁଥ ୱାରୀ ସମୀକ୍ଷା କରିଥିଲେ। ହିଞ୍ଜିଳି ବ୍ଳକ ଓ ପୈାରାଞ୍ଚଳର ମୋଟ ମତଦାତାଙ୍କ ସଂଖ୍ୟା ୧ଲକ୍ଷ ୧୯ ହଜାର ୨୩୫ ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଚଳିତ ମାସ ୮ ତାରିଖ ସୁଦ୍ଧା ୮୩,୩୫୮ ଖଣ୍ଡ ଫର୍ମ-୬ବି ସଂଗୃହୀତ ହୋଇଥିଲା ବେଳେ ୯ ତାରିଖରେ ତାହା ୮୩,୭୭୪ରେ ପହଞ୍ଚିଛି ।ଗୋଟିଏ ଦିନରେ ୩୮୬ ଖଣ୍ଡ ଫର୍ମ-୬ ବି ବୃଦ୍ଧି ପାଇ ୭୦.୨୩% ହୋଇଛି। ଏଣୁ ଫର୍ମ-୬ବି ସଂଗ୍ରହ କରିବା ପାଇଁ ବୁଥ ସ୍ଥରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ଶତ ପ୍ରତିଶତ ଆଧାର କାର୍ଡ ସଂଗ୍ରହ କରିବା ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ସଚେତନତା ଅଭାବ ଯୋଗୁଁ ଅନେକ ଭୋଟର ଆଧାର ସଂଯୋଗ କରିବା ପାଇଁ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି।ଅନେକାଂଶରେ ଅନ୍ୟତ୍ର ବସବାସ କରୁଥିବା ଭୋଟର ସେହି ସ୍ଥାନର ଭୋଟର କାର୍ଡ କରିଥିବାରୁ ଏଠାରେ ଆଧାର ସଂଯୋଗ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ଶତ ପ୍ରତିଶତ ଆଧାର ସଂଯୋଗ ଲକ୍ଷ୍ୟ ହାସଲ କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଜଣାପଡିଛି। ଏହି ସମୀକ୍ଷା ବୈଠକରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ସୋନାଲି ଦଳାଇ, ସିଡିପିଓ ଗାଙ୍ଗୀ ସୁବୁଦ୍ଧି ଓ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।


