ଗଞ୍ଜାମ ଜିଲ୍ଲାରେ ” ସୁନେତ୍ର ” କାର୍ଯ୍ୟର ଶୁଭାରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ଫାଇବ -ଟି ମାଧ୍ୟମରେ ସ୍କୁଲ ଭିର୍ତ୍ତିଭୂମିର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି l ଚକ୍ଷୁର ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ସୁନେତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ଵକ୍ତା ଭାବେ ଛତ୍ରପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିବା ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମଗ୍ର ଶିକ୍ଷା ଅଭିଯାନ ର ଅନ୍ତଃର୍ନିବେଶି ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ଓ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ଉପରେ ଚାପକୁ ଦୃଷ୍ଟିରେ ରଖି ପୂର୍ବରୁ ସମଗ୍ର ଶିକ୍ଷା ଦ୍ୱାରା “ବାଲଜ୍ୟୋତି” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l କିନ୍ତୁ ଚଳିତ ବର୍ଷ ସ୍ଵାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ” ସୁନେତ୍ର” କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରି ଚଷମା ପ୍ରଦାନ କରିବା ସହ ଉତ୍ତମ ଚିକିତ୍ସା ପାଇଁ ଘରୋଇ ଓ ସରକାରୀ ହସ୍ପିଟାଲରେ ସରକାରଙ୍କ ତରଫରୁ ମାଗଣାରେ ଚିକିତ୍ସା କରାଯିବ l ଏଥିରେ ଛତ୍ରପୁର ବ୍ଲକ୍ ର ସମସ୍ତ ବିଦ୍ୟାଳୟରୁ ତିନିଶହରୁ ଉର୍ଧ୍ଵ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି l ପରବର୍ତୀ ସମୟରେ ସେମାନଙ୍କୁ ଚଷମା ପ୍ରଦାନ କରାଯିବ l ଏଥି ନିମନ୍ତେ ଆଜି ଚିନ୍ହଟ କରାଯାଇଛି l