କେନାଲରୁ ୨୬ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ, (ଓ୍ବାଇଏନଏସ): କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡେୟତା ନିକଟସ୍ଥ ଏକ କେନାଲରୁ ବୁଧବାର ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଭାନପୁର ବଢ଼େଇ ସାହି ଅଞ୍ଚଳର ସିଦ୍ଧାର୍ଥ ଜେନା। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ବୁଧବାର ଖଣ୍ଡେୟତା ନିକଟସ୍ଥ କେନାଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ କଟକ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତକଙ୍କ ପରିଚୟ ସିଦ୍ଧାର୍ଥ ଜେନା ବୋଲି ଜଣାପଡ଼ିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି। ତେବେ ସିଦ୍ଧାର୍ଥ କେଉଁ ପରିସ୍ଥିତିରେ କେନାଲକୁ ଆସିଲେ ଏବଂ କିପରି ତାଙ୍କର ମୃତ୍ୟୁ ହେଲା, ତାହା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ