ଡିସେମ୍ବରରେ ଆସିବ ପିଆଜ
ଭୁବନେଶ୍ୱର: ଏବେ ସମସ୍ତଙ୍କୁ ଘାରିଛି ପିଆଜ ଚିନ୍ତା । ତେଣୁ ଇଜିପ୍ଟରୁ ପିଆଜ ଆଣିବା ଲାଗି ଯୋଜନା କରାଯାଇଛି । ଡିସେମ୍ବର ପ୍ରଥମ ସପ୍ତାହରେ ଭାରତରେ ପହଞ୍ଚିବ ୬୦୯୦ ମେଟ୍ରିକ୍ ଟନ୍ ପିଆଜ । ଏହି ପିଆଜକୁ ସବୁ ରାଜ୍ୟକୁ ଯୋଗାଇ ଦିଆଯିବ । କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରି ଏହା କହିଛନ୍ତି । ଏମ୍ଏମ୍ଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରକ ଟନ୍ ପିଆଜ ଖୁବ୍ଶୀଘ୍ର ଇଜିପ୍ଟରୁ ଆସି ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦରରେ ପହଞ୍ଚିବ । ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସି ପହଞ୍ଚିବ ବୋଲି ଆଶା କରାଯାଉଛି । ଏହାଛଡ଼ା ପିଆଜ ପୂର୍ବ-ମୁମ୍ବାଇ ଦର ଅନୁସାରେ କିଲୋପ୍ରତି ୫୨ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲବ୍ଧ କରାଯାଉଛି । ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ । ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି ।


