ଘରେ ବାରମ୍ବାର ଲାଗୁଛି ନିଆଁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଘଟୁଛି ଅଘଟଣ । ତିନିଦିନ ହେଲା ଉକ୍ତ ଗ୍ରାମ ର ଦେବରାଜ ପାଢ଼ୀ ଙ୍କ ଚାଳଘରେ ଅଚାନକ ଅଗ୍ନିକାଣ୍ଡ ଘଟୁଥିବାରୁ ତାଙ୍କ ପରିବାର ଲୋକ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତିନି ଦିନ ତଳେ ଦେବରାଜ ଓ ତାଙ୍କ ପରିବାର ରହୁଥିବା ଦୁଇ ବଖରା ଚାଳଘରେ ହଠାତ ନିଆଁ ଲାଗିବାରୁ ଗାଁ ଲୋକେ ନିଆଁକୁ ନିୟନ୍ତ୍ରଣ କରିବା ପରେ ଗତକାଲି ପୁନଃ ଅଗ୍ନିକାଣ୍ଡ ଘଟିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁକୁ ନିୟନ୍ତ୍ରଣ କରି ଫେରିବା ପରେ ପୁଣି ଅଚାନକ ଘରେ ଅଗ୍ନିକାଣ୍ଡ ଘଟୁଥିବା ଦେବରାଜ ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଅଗ୍ନିକାଣ୍ଡରେ ତାଙ୍କ ଘରର ଆସବାପତ୍ର ଓ ଗୃହ ସାମଗ୍ରୀ ପୋଡି ଯାଇଥିବା ବେଳେ ଅଭିଯୋଗ ପାଇ ନୟାହାଟ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ବାରମ୍ବାର ହଠାତ ଏଭଳି ଅଗ୍ନିକାଣ୍ଡ ଘଟିବା ଘଟଣାରେ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି । କେହି ଜାଣିଶୁଣି ଏପରି ନିଆଁ ଲଗାଇ ଗୁଣି ଗାରେଡ଼ି ଯୋଗୁଁ ଘଟୁଥିବା ଅପପ୍ରଚାର କରୁଛନ୍ତି। ତୁରନ୍ତ ପୋଲିସ ଘଟଣା ର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।