ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ସାଧାରଣ ବର୍ଗ ବିଦ୍ୟାଳୟର ଚୁକ୍ତିଭିତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯିବାକୁ ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀ ସଂଘ । ସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉପେକ୍ଷା ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଗ୍ରାଂଟ-ଇନ-ଏଡ୍ ବ୍ୟବସ୍ଥା ନଥାଇ ମଧ୍ୟ ସାଧାରଣ ବର୍ଗର କର୍ମଚାରୀଙ୍କୁ ରେଗୁଲାର ପାଇଁ ଘୋଷଣା କରାଯାଇଥିବା ବେଳେ ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀଙ୍କୁ ପ୍ରତି ଅବିଚାର କରାଯାଉଛି ବୋଲି ସେମାନେ କହିଥିଲେ । ସେମାନଙ୍କ କାର୍ଯ୍ୟକାଳ ୪ବର୍ଷ ପୂରିଥିଲେ ବି ୫୦ ପ୍ରତିଶତ ଦରମାରୁ ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀଙ୍କୁ ବାଦ ଦିଆଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ଅଭିଯୋଗ କରିଥିଲେ । ବାଲେଶ୍ୱର ଜିଲ୍ଲାରେ ପରିଚାଳିତ ୯ଟି ସ୍ୱତନ୍ତ୍ର ବିଦ୍ୟାଳୟରେ ଶାରିରୀକ ଓ ମାନସିକ ଅକ୍ଷମ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ସ୍ୱତନ୍ତ୍ର ବିଦ୍ୟାଳୟ ପାଇଁ ସରକାର ସମସ୍ତ ପ୍ରକାର ଆର୍ଥିକ ଅନୁଦାନ ପ୍ରଦାନ କରୁଥିବା ବେଳେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମଧ୍ୟ ସରକାର ନେବା ଉଚିତ ବୋଲି ସେମାନେ କହିଛନ୍ତି । ତୁରନ୍ତ ଏ ବାବଦରେ ସରକାର ଉଚିତ ପଦକ୍ଷେପ ନ ନେଲେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଗୌରାଙ୍ଗ ଚରଣ ପ୍ରଧାନ, ଚନ୍ଦ୍ରଜିତ ନାୟକ, ଗୀତାଞ୍ଜଳି ପ୍ରଧାନ, ଗୌରାଙ୍ଗ ପାତ୍ର, କୃଷ୍ଣଚନ୍ଦ୍ର ପାଢୀ, ଜୟନ୍ତ କୁମାର ସାହୁ, ଲକ୍ଷ୍ମୀକାନ୍ତ ଦାସ, ପ୍ୟାରୀ ମୋହନ ଭୂୟାଁ, ଦେବୀପ୍ରସାଦ କର, ଦୀପକ ବେହେରା, ପ୍ରବିତ୍ରରାଣୀ ଖୁଣ୍ଟିଆ, ମନୋଜ ପଲାଇ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।