ସାଇଲଡା ଗ୍ରାମାଞ୍ଚଳରେ ପ୍ରସ୍ତାବିତ ସେତୁ ନିର୍ମାଣ ପାଇଁ ଅସନ୍ତୋଷ ସହ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବୋମିକା ପଞ୍ଚାୟତ ସାଇଲଡା ଗ୍ରାମାଞ୍ଚଳରେ ପ୍ରସ୍ତାବିତ ସେତୁ ନିର୍ମାଣ ପାଇଁ ଅସନ୍ତୋଷ ବୃଦ୍ଧିପାଇବା ସହ ସଠିକ ସ୍ଥାନରେ ସେତୁ ନିର୍ମାଣ ପାଇଁ ଦାବି ହୋଇଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସହକାରୀ ଯନ୍ତ୍ରୀ କିଶୋରଚନ୍ଦ୍ର ଗୌଡଙ୍କୁ ପ୍ରଦାନ କରାଯାଇଛି । ସେମାନେ ଜଣାଇଛନ୍ତି ଯେ, ଗତ ମାସରେ ବିଭାଗୀୟ ଉଚ୍ଚ ପଦସ୍ଥ ଯନ୍ତ୍ରୀ ଓ କର୍ତ୍ତୃପକ୍ଷ ସାଇଲଡା ଗ୍ରାମାଞ୍ଚଳରେ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ ସହ କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ଏହାର କିଛି ଦିନପରେ ଉକ୍ତ ସ୍ଥାନରେ ବ୍ରିଜ ନିର୍ମାଣ ଲାଗି ବିଭିନ୍ନ ସରଞ୍ଜାମ ଆଣି ରଖାଯାଇ ଥିଲା । ହେଲେ ଚିହ୍ନଟ ବା ମୃତ୍ତିକା ପରୀକ୍ଷଣ ସ୍ଥାନରେ ପ୍ରସ୍ତାବିତ ସେତୁ ନିର୍ମାଣ ନ ହୋଇ ବର୍ତ୍ତମାନ ବାଟିସିରିପୁର-ବୋମିକା ମଧ୍ୟରେ ଥିବା ଅନ୍ୟ ଏକ ସ୍ଥାନରେ ପ୍ରସ୍ତାବିତ ସେତୁ ନିର୍ମାଣ ହେବାକୁ ଯାଉଛି । ଏହା ଯାଣିପାରି ସାଇଲଡା ଗ୍ରାମାଞ୍ଚଳରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି ।ସେମାନେ ବିଭାଗୀୟ ଅଧିକାରୀଙ୍କ ସହ ଯୁକ୍ତି କରିଛନ୍ତି ଯେ, ବ୍ରିଜ ନିର୍ମାଣ ପାଇଁ ସମସ୍ତ ଚୂଡାନ୍ତ ହେବା ପରେ ମଧ୍ୟ କାହିଁକି ସ୍ଥାନ ବଦଳା ଗଲା ? ବର୍ତ୍ତମାନ ବିଭାଗ ଯେଉଁ ଠାରେ ବ୍ରିଜ୍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ସେହି ସ୍ଥାନ ବାଟିସିରିପୁର ଚ୍ୟାକଡ୍ୟାମ ଅଞ୍ଚଳ ସହ ଜଳସଂରକ୍ଷିତ ଅଞ୍ଚଳ ଅଟେ । ଏଥି ଦ୍ୱାରା ବ୍ରିଜ ନିର୍ମାଣ କ୍ଷେତ୍ରରେ ସମସ୍ୟା ଉପୁଜିବା ସହ ନିର୍ମାଣ ପରେ ଏହା ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଚେତାଇବା ସହ ସାଇଲଡା ଗ୍ରାମ ନିକଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି । ଯଦି ଦାବି ପୁରଣ ନହୁଏ ତେବେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବ କରାଯାଇ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ନିମନ୍ତେ ଗୋଷାଣୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏମ୍.ସୁଧାକର ରାଓ, ଏମ୍.ବାବୁରାଓ, ଲକ୍ଷ୍ମଣରେଡ୍ଡିଙ୍କ ନେତୃତ୍ୱରେ ସାଇଲଡା ଗ୍ରାମାଞ୍ଚଳର ପ୍ରାୟ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତଥିଲେ । ସୂଚନା ଯୋଗ୍ୟ ଯେ, ଉକ୍ତ ବ୍ରିଜ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନାରେ ସାମିଲ କରି ୯କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଗତ ୧୮ରେ ବିଭାଗୀୟ ଉଚ୍ଚ ପଦସ୍ଥ କର୍ତ୍ତୃପକ୍ଷ ମୃତ୍ତିକା ପରୀକ୍ଷଣ ସହ କ୍ଷେତ୍ର ପରିଦର୍ଶନ କରିଥିଲେ ।