ଚାଷୀ ପରିବାରକୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ସମ୍ମାନ ଦେବା ଦାବୀରେ ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚାଷୀଙ୍କ କୃଷି ଉତ୍ପାଦର ଉଚିତ୍ ମୂଲ୍ୟ ସମେତ ପ୍ରତ୍ୟେକ ଚାଷୀ ପରିବାରକୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ସକଳ ସ୍ତର\’ରେ ଚାଷୀଙ୍କୁ ସମ୍ମାନ ଦେବା ଦାବୀରେ ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବିରାଟ ଚାଷୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଙ୍ଗଠନର ଜିଲ୍ଲା ପ୍ରଭାରୀ ଶ୍ରୀ ରଣଜିତ୍ ପଟ୍ଟନାୟକଙ୍କ ସଭାପତିତ୍ବରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶ୍ରୀ ଶେଷ ଦେବ ନନ୍ଦ ଯୋଗ ଦେଇ ସରକାରଙ୍କ ବିପର୍ଯ୍ୟୟ କୃଷିନୀତି ଯୋଗୁଁ ଚାଷୀ ମାନେ କିଭଳି ତଳି ତଳାନ୍ତ ହେଉଛନ୍ତି କହି ଚାଷୀଙ୍କ ଧାନ କୌଣସି କାରଣରୁ ନଷ୍ଟ ହେଲେ ସେଥିପାଇଁ ଚାଷୀ ପରିବାରକୁ ସମ୍ମାନର ସହ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ଦେବା ଦାବୀ କରିଥିଲେ ।ଚାଷୀ ମାନେ ବିଭିନ୍ନ ସମୟରେ ସମ୍ମୁଖିନ ହେଉଥିବା ଦୁଃଖ ଦୁର୍ଦ୍ଦଶା ଉପରେ କହି “ୱାଡ଼ି”ରେ ଏନଜିଓ: ମାନେ ମାଗଣା ଗାତ ଖୋଳି ସେଥିରେ ଗଛ ନ ଲଗାଇ ନାବାର୍ଡ ସଂସ୍ଥାରୁ କୋଟି କୋଟି ଟଙ୍କା ଅର୍ଥ ନେଇଥିବା ଏବଂ ମିଲେଟ୍ ମିଶନରେ ଅଧିକ ଚାଷ ହେଉଥିବା ଦର୍ଶାଇ ଅଧିକ ହେରଫେର ହେଉଥିବା ଅଭିଯୋଗ କରି କହିଥିଲେ । ସେହିଭଳି ଜିଲ୍ଲା କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଚାଷୀ ସବୁବେଳେ ନଷ୍ଟ ଓ କଷ୍ଟ ସହୁଛି ଯାହାକି , ମିଲର ମାନଙ୍କ ମନମାନି ଯୋଗୁଁ ଚାଷୀ ମାନେ ଅଧିକ କ୍ଷତି ସହୁଛନ୍ତି ।ବର୍ଷା ସାଙ୍ଗକୁ ପାଗ ଖରାପ ହୋଇ ଚାଷୀର ଧାନ ବେରଙ୍ଗି ହୋଇଗଲେ ଚାଷୀଙ୍କୁ ନାହିଁ ନ ଥିବା ଶୋଷଣ କରାଯାଉଛି ବୋଲି ଅଭିଯୋଗରେ କହିଥିଲେ । ତେଣୁ ଆଗାମୀ ଦିନରେ ଜିଲ୍ଲାର ୧୬ ହଜାର ଚାଷୀଙ୍କ ଧାନ ଯେଭଳି ଧାନ ସଂଗ୍ରହର ଶେଷ ପର୍ଯ୍ୟନ୍ତ ବିକ୍ରି ହେବ , ସେଥିପାଇଁ ଚାଷୀ ଆଜି ଏକତ୍ରିତ ହୋଇଛନ୍ତି । ଚାଷୀର ଧାନ ମାସେ ହେଲା ଅମଳ ହୋଇ ଖୋଲା ଆକାଶ ତଳେ ପଡ଼ିରହିଛି ହେଲେ ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିନାହି । ମଣ୍ଡି ଆରମ୍ଭ ହେଲେ ଚାଷୀମାନେ କଟନି ଛଟନି ନାରେ ଏଣିକି କୌଣସି ସମଝୋତା ହେବନି , ଚାଷୀ ମଣ୍ଡିରେ ଧାନ ଦେବ ଏବଂ ଚାଷୀ ତାର ଧାନର ଉଚିତ୍ ପ୍ରାପ୍ୟ ତଥା ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା ପାଇଁ ହକ ବୋଲି ଆଜିର ଏହି ସମ୍ମିଳନୀ ଆୟୋଜନର ମୂଳଲକ୍ଷ୍ୟ ବୋଲି କହିଥିଲେ ।ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ଦାସଜୀ ମହାରାଜଙ୍କ ସମେତ ସଙ୍ଗଠନର ସଂଗଠକ ଶ୍ରୀ ଗୌରାଙ୍ଗ ମଣ୍ଡଳ , ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ଆଶିଷ ବେହେରା , ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ମାଣିକ ପାଇକ ଏବଂ ଶ୍ରୀ ନିରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମଣ୍ଡି ସମସ୍ୟା ସମେତ ଚାଷୀ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ମାନେ ଯୋଗଦେଇ ସେମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଅଭିଯୋଗରେ କହି ମଞ୍ଚାସିନ ଅତିଥି ମାନଙ୍କୁ ଅବଗତ କରାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ