ଧାନ କଟନି ଛଟନି ନେଇ ନବୀନ ନିବାସ ଘେରିଲା ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧାନ କଟନି ଛଟନି ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ । ଆଉ ଚାଷୀ ନେତାମାନେ ଟାର୍ଗେଟ ରଖିଥିଲେ ନବୀନ ନିବାସ । ସୋମବାର ଥିଲା କମିଶନରେଟ ପୋଲିସ୍‌ର ପ୍ରତିଷ୍ଠା ଦିବସ । କିନ୍ତୁ ପୋଲିସ୍‌କୁ ଚକମା ଦେବାରେ ସଫଳ ହୋଇଥିଲେ ଚାଷୀ ନେତାମାନେ । ଗୋଟିଏ ଚାଷୀଗୋଷ୍ଠୀ ସୁନ୍ଦରପଦା ପଟୁ ଏବଂ ଅନ୍ୟ ଏକ ଚାଷୀଗୋଷ୍ଠୀ ରାଜମହଲ ପଟୁ ନବୀନ ନିବାସ ଆଡ଼କୁ ମାଡ଼ି ଯାଉଥିଲେ । ପୋଲିସ୍ ବାହିନୀ ଏତେ ସଂଖ୍ୟକ ଲୋକ ଦେଖି ହତବାକ୍ ହୋଇଯାଇଥିଲେ । ଚାଷୀ ନେତାମାନେ ନବୀନ ନିବାସ ଆଗରେ ଧାନବସ୍ତା ପକାଇ ନାରାବାଜି କରିଥିଲେ । ଧାନ କୁଇଣ୍ଟାଲ ପିଛା ୭ରୁ ୯ କେଜି କାଟ କାହିଁକି, ଧାନ କାଟ ବନ୍ଦ କରିବାରେ ପ୍ରଶାସନର ଭୂମିକା କଣ, ସରକାର କାହିଁକି ମିଲରମାନଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି ବୋଲି ଚାଷୀ ନେତାମାନେ ସ୍ଲୋଗାନ ଦେଇଥିଲେ । ରାଜ୍ୟ ସରକାର ହକିରେ ମାତିଥିଲା ବେଳେ ଚାଷୀଙ୍କ ହକ୍‌କୁ ମିଲର, ସମବାୟ ସମିତି ଓ ରାଜନେତା ପାଦରେ ଦଳି ଦେଇଛନ୍ତି ବୋଲି ନବନିର୍ମାଣ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ଓ ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ବକ୍ତବ୍ୟ ରଖିଥିଲେ । ଚାଷୀ ବିରୋଧୀ, ମିଲର ସପକ୍ଷବାଦୀ ନବୀନ ପଟ୍ଟନାୟକ ହାଏ ହାଏ ସ୍ଲୋଗାନରେ ବିମାନ ବନ୍ଦର ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ଏହାପରେ ଚାଷୀନେତାଙ୍କ ସହ ପୋଲିସ୍‌ର ଧସ୍ତାଧସ୍ତି ହୋଇଥିଲା । ଏପରିକି କିଛି ଚାଷୀ ଆହତ ହୋଇଥିଲେ । ପ୍ରଥମେ ଏୟାରପୋର୍ଟ ପୋଲିସ୍ ଓ ସ୍ଥାନୀୟ ସୁରକ୍ଷା କର୍ମୀ ଚାଷୀମାନଙ୍କୁ କାବୁ କରି ଏୟାରପୋର୍ଟ ଥାନାକୁ ନେଇଥିଲେ ଓ କିଛି ଚାଷୀଙ୍କୁ ଥାନାକୁ ନେଉଥିଲା ବେଳେ ପିଏମ୍‌ଜିରେ ଛାଡ଼ି ଦେଇଥିଲେ । ହେଲେ ଏୟାରପୋର୍ଟ ଥାନାରେ ଅଟକ ଥିବା ଚାଷୀନେତା ମାନଙ୍କୁ ମୁକୁଳାଇବା ଦାବିରେ ପିଏମ୍‌ଜିରେ ନାରାବାଜି କରିବାରୁ ପୁଣିଥରେ ଚାଷୀମାନଙ୍କୁ ନେଇ ପୋଲିସ୍ ବାରାକରେ ଅଟକ ରଖିଥିଲେ । ପରେ ପାଖାପାଖି ଦିନ ୨ଟା ସୁଦ୍ଧା ସବୁ ଚାଷୀମାନଙ୍କୁ ପୋଲିସ୍ ଛାଡ଼ି ଦେଇଥିଲା । ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ନେତା ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଗଣମାଧ୍ୟମ ଉଦ୍ଦେଶ୍ୟରେ କହିଛନ୍ତି ଯେ, କଟନି ଛଟନି ଆଳରେ ମିଲରମାନେ ଦିନ ଦ୍ୱିପ୍ରହରରେ କୋଟି କୋଟି ଟଙ୍କା ଚାଷୀଙ୍କ ଠାରୁ ଲୁଟି ନେଉଛନ୍ତି । ଯୋଗାଣ ବିଭାଗ ମାର୍ଗଦର୍ଶିକା ଅନୁଯାୟୀ ଧାନ କିଣାଯାଉ ନାହିଁ । ଜିଲ୍ଲା ସ୍କ୍ୱାର୍ଡ ଧାନମଣ୍ଡି ପରିଦର୍ଶନ କରୁନାହାଁନ୍ତି । ଏପରିକି ବିିଡ଼ିଓ, ତହସିଲଦାରମାନେ ଯେଉଁମାନେ ସମ୍ପୃକ୍ତ ବ୍ଲକର ନୋଡ଼ାଲ ଅଫିସର ଦାୟିତ୍ୱରେ ଅଛନ୍ତି, ସେମାନେ ମଣ୍ଡି ପରିଦର୍ଶନ କରୁନାହାଁନ୍ତି । ଏହାକୁ ନେଇ ରାଜ୍ୟବ୍ୟାପୀ ବଡ଼ଧରଣର ଆନ୍ଦୋଳନ କରାଯିବ । ଆଜି ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ରଶ୍ମୀରଞ୍ଜନ ସ୍ୱାଇଁ, କେନ୍ଦ୍ରାପଡ଼ା ସଂଯୋଜକ ଅକ୍ରୁର ପଲାଇ, ମୟୁରଭଞ୍ଜ ପ୍ରଭାରୀ ଦୀନେଶ ଦାସ, ସତ୍ୟ ନାୟକ, ଅଶୋକ ଶାନ୍ତି, ମହେଶ୍ୱର ଜେନା, ବିଚିତ୍ର ପଣ୍ଡା, ପ୍ରସନ୍ନ ପ୍ରଧାନ, ଦୋଳଗୋବିନ୍ଦ ସାହୁ, ରୀନା ମଲ୍ଲିକ, ଦୀନବନ୍ଧୁ ମଲ୍ଲିକ ପ୍ରମୁଖ ଗିରଫ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ