ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ନୀତିକାନ୍ତି ବିଭ୍ରାଟ ଓ ନୂତନ ପରିଚାଳନା ବୋର୍ଡ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମର ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ନୀତିକାନ୍ତି ବିଭ୍ରାଟ ଘଟଣାର ତୁରନ୍ତ ସମାଧାନ ପାଇଁ ନୂତନ ପରିଚାଳନା ବୋର୍ଡ ଗଠନ କରାଯିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ କଟକସ୍ଥିତ ଦେବୋତ୍ତର ବିଭାଗର ଅତିରିକ୍ତ କମିଶନରଙ୍କୁ ମଧ୍ୟ ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ସେହି ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ଶ୍ରୀଜୀଉଙ୍କ ପରିଚାଳନା ବୋର୍ଡର ପୂର୍ବତନ ସଭାପତି ରବିନ୍ଦ୍ରନାଥ ଶତପଥୀଙ୍କ ଗତ ୨୦୧୭ମସିହାରେ ବିୟୋଗ ହେବା ପରେ ଏକ ଅସ୍ଥାୟୀ ପରିଚାଳନା ବୋର୍ଡ ଗଠନ କରାଯାଇଥିଲା । ସେହି ବୋର୍ଡ ଶ୍ରୀଜୀଉଙ୍କ ସମ୍ପତ୍ତି ଓ ଦେବୋତ୍ତର ବିଭାଗରୁ ଆସୁଥିବା ଅନୁଦାନ ରାଶି ଅଦ୍ୟାବଧି ଗ୍ରହଣ କରୁଥିଲେ ମଧ୍ୟ ବିଗତ ୨୦୧୯ମସିହା ମଇମାସ ୧ତାରିଖ ଠାରୁ ସେହି ଅର୍ଥ ଠାକୁରଙ୍କ କାର୍ଯ୍ୟରେ ଲାଗୁନଥିବା ଅଭିଯୋଗ ହୋଇଛି । ଗ୍ରାମର କେତେକ ଧର୍ମପରାୟଣ ତଥା ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆଦାୟ ଅର୍ଥରେ ଠାକୁରଙ୍କ ନୀତିକାନ୍ତି ଓ ଯାନିଯାତ୍ରା ଚାଲିଥିବା କୁହାଯାଇଛି । ମନ୍ଦିରର ପୂଜକ ନିସ୍ୱ୍ୱାର୍ଥପର ଭାବେ ୪ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରୀଜୀଉଙ୍କ ସେବାପୂଜା ବିନା ପାରିଶ୍ରମିକରେ କରି ଆସୁଥିବା ବେଳେ ଗ୍ରାମର ଯୁବଗୋଷ୍ଠି ଓ କେତେକ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ସଂଗୃହିତ ପାଣ୍ଠିରେ ୨୦୧୯ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ରଥଯାତ୍ରା ସମାପନ କରାଯାଇଛି । ଶ୍ରୀଜୀଉଙ୍କ ଅସ୍ଥାୟୀ ପରିଚାଳନ ବୋର୍ଡର କାର୍ଯ୍ୟକାଳ ଏକବର୍ଷ ହେବ ପୁରି ଯାଇଥିଲେବି ଅଦ୍ୟାବଧି ନୂତନ ପରିଚାଳନା ବୋର୍ଡ ଗଠନ କରାଯାଇନାହିଁ । ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବର ଅଭିଯୋଗ କରାଯାଇଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଏସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଲୋଚନା କରାଯାଇଥିଲା । ସେହି ବୈଠକରେ ସର୍ବସମ୍ମତ କ୍ରମେ ଗୃହିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ସେହି ଗ୍ରାମର ଜ୍ୟୋତିରଞ୍ଜନ ଆଚାର୍ଯ୍ୟ, କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ରାଜକିଶୋର ଶତପଥୀ, ଅମରେନ୍ଦ୍ର ପାତ୍ର, ଚନ୍ଦନ ମହାନ୍ତି ପ୍ରଭୃତିଙ୍କୁ ନେଇ ଶ୍ରୀଜୀଉଙ୍କ ନୂତନ ପରିଚାଳନା ବୋର୍ଡ ଗଠନ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ପରେ କଟକସ୍ଥିତ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଦେବୋତ୍ତର ନିରୀକ୍ଷକ ଗତ ୨୦୨୨ମସିହା ନଭେମ୍ବରମାସ ୭ତାରିଖରେ ଶ୍ରୀଜୀଉଙ୍କ ନୂତନ ପରିଚାଳନା ବୋର୍ଡ ଗଠନ ପାଇଁ ପୂର୍ବରୁ ନୋଟିସ ପ୍ରଦାନ କରି ଉପସ୍ଥିତ ହୋଇ ଗ୍ରାମବାସୀଙ୍କ ଠାରୁ ସମସ୍ତ ମତାମତ ଗ୍ରହଣ କରିସାରିଥିଲେ ମଧ୍ୟ ଅଦ୍ୟାବଧି ନୂତନ ବୋର୍ଡ ଗଠନ କରିବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ରାଜ୍ୟ ଦେବୋତ୍ତର କମିଶନରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ନିରଞ୍ଜନ ଦାସ, ଜ୍ୟୋତିରଞ୍ଜନ ପାତ୍ର, ଚିତ୍ତରଞ୍ଜନ ବାରିକ, ଅନିଲ କୁମାର ସ୍ୱାଇଁ, ଅମରେନ୍ଦ୍ର ପାତ୍ର, ରାକେଶ କୁମାର ପଣ୍ଡା, ବିରେନ୍ଦ୍ର ତ୍ରିପାଠୀ, ସୁଦାମ ବେହେରା, ମାଧବ ପଣ୍ଡା, ହରିହର ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।


