ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକର ତିଖିରୀ ଗ୍ରାମ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଗୁରୁବାର ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ଭୋଟ ହୋଇଛି। ୨୨ ୱାର୍ଡ ବିଶିଷ୍ଟ ଏହି ଗ୍ରାମପଞ୍ଚାୟତର ୨୦ ଜଣ ସରପଞ୍ଚ ଅନାସ୍ଥା ଭୋଟରେ ଅଂଶଗ୍ରହଣ କରିଥିଲେ। ଜଣେ ୱାର୍ଡ ସଭ୍ୟ କୌଣସି ଅନିବାର୍ଯ୍ୟ କାରଣ ପାଇଁ ଅନୁପସ୍ଥିତ ଥିବା ବେଳେ ଅନ୍ୟ ଜଣେ ସଭ୍ୟ ପ୍ରସବକାଳୀନ ସମସ୍ୟା ପାଇଁ ଅନୁପସ୍ଥିତ ଥିଲେ। ସରପଞ୍ଚ ଭାବେ ଅନାସ୍ଥା ଭୋଟରେ ଅଂଶଗ୍ରହଣ କରିବାର ଅଧିକାର ଚାମେଲୀଙ୍କର ରହିଥିଲା। ହେଲେ ସେ ଏଥିରେ ଅଂଶଗ୍ରହଣ କରି ନଥିଲେ। ଅପରପକ୍ଷରେ ଏକ ଅଭିଯୋଗପତ୍ର ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ନିର୍ବାଚନ ଅôଧକାରୀ ଭାବେ ନିଯୁକ୍ତି ପାଇଥିବା ଡେରାବିଶ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ସେ ଏକ ଅଭିଯୋଗପତ୍ର ଦେଇଥିଲେ। ଏହାସହ ଉଚ୍ଚନ୍ୟାୟଳୟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାର ନକଲ ଚାମେଲୀ ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଥିଲା ଯେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପଣ ଭୋଟ ଗ୍ରହଣ କରିବେ କିନ୍ତୁ ଫଳାଫଳ ପ୍ରକାଶ କରିବେ ନାହିଁ। ସେହିପରି ତାଙ୍କ ବିରୋଧରେ ଅନାସ୍ଥା ଆସିଥିଲେ ମଧ୍ୟ ତାଙ୍କୁ ଅନାସ୍ଥାର ବରାଦିପତ୍ର ଓ ସଂକଳ୍ପ ପତ୍ର ପ୍ରଦାନ କରାଯାଇ ନାହିଁ। ଏହାଦ୍ୱାରା ତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ତେଣୁ ତାଙ୍କୁ ଏହା ପ୍ରଦାନ କରାଯିବା ପାଇଁ ସେ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଥିଲେ। କଡ଼ା ସୁରକ୍ଷା ବଳୟରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ଜଣେ ଏସ୍ଡିପିଓ, ଦୁଇ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଓ ୨ ପ୍ଲାଟୁନ୍ ପୋଲିସ ବଳ, ମାଜିଷ୍ଟ୍ରେଟ ଭାବେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାୟନନ ନାୟକ ମୁତୟନ ହୋଇଥିଲେ। ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କରାଯାଇଥିଲା। ଏହାକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ସୂଚନା ଥାଉକି ଜୁନ ୧୧ରେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଚାମେଲୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ସେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ସେ ମହାକାଳପଡ଼ା ବିଡିଓ, ମହାକାଳପଡ଼ା ଥାନା ପୋଲିସ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ କେନ୍ଦ୍ରାପଡ଼ାରେ ଅନସନ କରିବା ପରେ ରାଜଧାନୀରେ ଯାଇ ଅନସନ କରିଥିଲେ। ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବୋଲି ଘୋଷଣା କରିଥିଲେ। ଜୁଲାଇ ୨୨ରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଜୁଲାଇ ୨୭ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦସ୍ତଖତ ମେଳକ ହୋଇଥିଲା। ଅଗଷ୍ଟ ୧୩ରେ ଭୋଟ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଦିନ ଧ୍ୟାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନାସ୍ଥା ବିରୋଧରେ ଚାମେଲି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚାମେଲିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ରାୟ ଦେଇଥିଲେ ଯେ ଅନାସ୍ଥା ନେଇ ଭୋଟ ଗ୍ରହଣ ହେବ କିନ୍ତୁ ସେହିଦିନ ଫଳାଫଳ ଘୋଷଣା କରାଯିବ ନାହିଁ। ହାଇକୋର୍ଟ ଯେପର୍ଯ୍ୟନ୍ତ ନିର୍ଦ୍ଦେଶ ଦେଇ ନାହାଁନ୍ତି ସେପର୍ଯ୍ୟନ୍ତ ଫଳାଫଳ ଘୋଷଣା ହୋଇପାରିବ ନାହିଁ। ତେଣୁ ଗୁରୁବାର ଚାମେଲୀଙ୍କ ବିରୋଧରେ ଯେଉଁ ଅନାସ୍ଥା ଭୋଟ ଗ୍ରହଣ ହୋଇଛି ତାହାର ଫଳାଫଳ ସ୍ଥଗିତ ରହିଛି।


