ଦିଗପହଣ୍ଡି ରୁ ଅପହୃତା ନାବାଳିକା ଢେଙ୍କାନାଳ ରୁ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକା ଙ୍କୁ ପୋଲିସ ଢେଙ୍କାନାଳ ରୁ ଉଦ୍ଧାର କରିଥିବା ଜଣାପଡିଛି।ନାବାଳିକା ଙ୍କୁ ଅପହରଣ କରିଥିବା ନୟାଗଡ଼ ଜିଲା ନୂଆଗାଁ ଥାନା ବରଗଡ଼ ଗ୍ରାମର ନବାନ୍ ଖାନ ଙ୍କୁ ପୋଲିସ ଗିରଫ କରି ବୁଧବାର ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୬/୨୩ ଦଫା – ୩୬୩/୩୭୬ ଆଇ ପି ସି ସମେତ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ପୋକ୍ସ ଆକ୍ଟ୍ ର ଧାରା – ୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଅଭିଯୁକ୍ତ ଜଣକ ଗ୍ୟାସ ଚୁଲା ମରାମତି କାର୍ଯ୍ୟ କରନ୍ତି। ସେ ନାବାଳିକା ଙ୍କ ଗାଁ ରେ ଏକ ଭଡ଼ା ଘରେ ରହୁଥିଲେ। ଗତ ୨ ତାରିଖରେ ନାବାଳିକା ଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଅପହରଣ କରି ନେଇଯାଇଥିବା ନେଇ ନାବାଳିକା ଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଏତଲାକୁ ଭିତ୍ତି କରି ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଅଭିଯୁକ୍ତ ଙ୍କ ମୋବାଇଲ ଫୋନ କୁ ଟ୍ରାକିଂ କରି ସେ ଢେଙ୍କାନାଳ ରେ ଥିବା ପୋଲିସ କୁ ସୂଚନା ମିଳିଥିଲା। ଦିଗପହଣ୍ଡି ପୋଲିସ ଟିମ୍ ମଙ୍ଗଳବାର ଢେଙ୍କାନାଳ ରେ ପହଞ୍ଚି ନାବାଳିକା ଙ୍କୁ ଉଦ୍ଧାର କରିଥିବା ବେଳେ କୌଶଳକ୍ରମେ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ।ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।


