ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଆନ୍ଦୋଳନ କରିବ କ୍ରିୟାନୁଷ୍ଠାନ କମିଟି
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସ୍ଥିତି ପ୍ରତିବାଦରେ ଆସନ୍ତା ଫେବୃଆରୀ ମାସ ୩ୟ ସପ୍ତାହରେ ଗଣଧାରଣା ପାଇଁ ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ଇଂ. ହୃଷିକେଶ ସାହୁ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ଡା. ତାରାକାନ୍ତ ନନ୍ଦ, ଗୋପୀନାଥ ଶତପଥୀ, ପ୍ରଫୁଲ୍ଲ କୁମାର ଦାସ, ପଦ୍ମଲୋଚନ ଦତ୍ତ, ଶ୍ୟାମସୁନ୍ଦର ଜେନା, ଡ. କ୍ଷିତୀଶ୍ୱର ଦାଶ, ଭାଗୀରଥି ମହାନ୍ତି, ବନ୍ଦନା ବିଶ୍ୱାସ, ରବିନାରାୟଣ ଭୋଳ, ତପନ ସିଟ୍, କମଳାକାନ୍ତ ନାୟକ ଓ ଯତୀନ୍ ପାତ୍ର ପ୍ରମୁଖ ଯୋଗଦେଇ ଜିଲା ସ୍ୱାସ୍ଥ୍ୟସେବାର ବିକଳ ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ସ୍ୱାସ୍ଥ୍ୟସେବାରେ ଆଶାନୁରୂପ ଉନ୍ନତି ହେବ ବୋଲି ଜିଲାବାସୀ ଆଶା ପ୍ରକାଶ କରିଥିଲେ । ମାତ୍ର ଅନେକ ବିଭାଗର ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ଘରୋଇ ଚିକିତ୍ସାଳୟ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ମୁଖ୍ୟ ଚିକିତ୍ସାଳୟରେ କେତେକ ଡାକ୍ତର ରୋଗୀମାନଙ୍କୁ ଅସୌଜନ୍ୟ ବ୍ୟବହାର ଓ ଘରୋଇ ଚିକିତ୍ସା ପାଇଁ ପ୍ରୋତ୍ସାହିତ କରୁଥିବା ନେଇ ଏବେ ସବୁଠି ଅଭିଯୋଗ ଉଠିଛି ବୋଲି ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ । ସେହିପରି କେତେକ ଡାକ୍ତର ସରକାରୀ କାର୍ଯ୍ୟରେ ଅବହେଳା କରି ଘରୋଇ ଚିକିତ୍ସାରେ ବିପୁଳ ଅର୍ଥ ଆୟ କରୁଥିବା ସଂପର୍କରେ ସେମାନେ ଆରୋପ ଉଠାଇଛନ୍ତି । ସେହିପରି ଜିଲ୍ଲାର ବହୁ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ନଥିବା ଓ ରୋଗ ନିଦାନର ଯନ୍ତ୍ରପାତି ଅଚଳ ଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ବି କରୁନାହାନ୍ତି ।ଏହି ସବୁ ପ୍ରସଙ୍ଗ ଉପରେ ବୈଠକରେ ଦୀର୍ଘ ଆଲୋଚନା ପରେ ଆନ୍ଦୋଳନମୁଖୀ ହେବାକୁ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଫେବୃୟାରୀ ମାସ ତୃତୀୟ ସପ୍ତାହରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଣଧାରଣା କରାଯିବାକୁ ସ୍ଥିର ହୋଇଛି । ଏ ସଂପର୍କରେ ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯିବା ବୋଲି କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ମିନତୀ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।