ଟାଉନ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ଶିକ୍ଷକତା ସହ ଚାକିରିରୁ ସଦ୍ୟ ଅବସର ନେଉଥିବା ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷକ ଦାମୋଦର ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁମତି ରାଉତ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ କାଉନସିଲର ପଦ୍ମଲୋଚନ ଲେଙ୍କା, ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ସୁବ୍ରତ କର ଓ ସମ୍ପାଦକ ବସନ୍ତ କୁମାର ମହାନ୍ତି, ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ପ୍ରହ୍ଲାଦ ପ୍ରସାଦ ଗୁପ୍ତା ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକତା କ୍ଷେତ୍ରରେ ଅବସର ନେଉଥିବା ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ପଣ୍ଡାଙ୍କ ଭଳି ଜଣେ ଛାତ୍ରବତ୍ସଳ, ସମୟାନୁମର୍ତ୍ତୀ ତଥା ଆଦର୍ଶ ଶିକ୍ଷକଙ୍କ ଅଭାବ ଏଣିକି ଟାଉନ ହାଇସ୍କୁଲରେ ପରିଲକ୍ଷିତ ହେବ ବୋଲି ସେମାନେ କହିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକମାନେ ପୁଷ୍ପଗୁଚ୍ଛ ଓ ବିଭିନ୍ନ ପ୍ରକାର ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଶିକ୍ଷୟତ୍ରୀ ମଧୁସ୍ମିତା ବାରିକ ମାନପତ୍ର ପାଠ କରିଥିଲେ । ଏ ବିଦ୍ୟାଳୟର ସହକର୍ମୀ ଶିକ୍ଷକ ଓ ପରିଚାଳନା କମିଟି ସର୍ବୋପରି ଛାତ୍ରଛାତ୍ରୀଙ୍କ ଆତ୍ମିୟତାପୂର୍ଣ୍ଣ ବ୍ୟବହାର ତାଙ୍କର ସବୁଦିନ ମନେ ରହିବ ବୋଲି ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ପଣ୍ଡା କହିଥିଲେ । ସହକାରୀ ଶିକ୍ଷକ ଅକ୍ଷୟ ପାତ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଭାରତୀ ରାଉଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ