୬୬୨ ବର୍ଗ କଲେଜ ଆନ୍ଦୋଳନକୁ ସମାଜବାଦୀ ପାର୍ଟିର ସମର୍ଥନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଜର ଜୀବନ ଜୀବିକାର ହକ୍ ଓ ଅଧିକାର ନେଇ ଦୀର୍ଘ ୧୫ ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ କରୁଥିବା ୬୬୨ ବର୍ଗ କଲେଜ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଆନ୍ଦୋଳନକୁ ସମାଜବାଦୀ ପାର୍ଟି ସମର୍ଥନ କରିଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷାକୁ ଆଖି ଆଗରେ ରଖି ସରକାର ତୁରନ୍ତ ଅଧ୍ୟାପକମାନଙ୍କର ଦାବି ପୂରଣ କରିବା ସହିତ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି ଏହି ଅଧ୍ୟାପକମାନଙ୍କ ଆନ୍ଦୋଳନ ଫଳରେ ସରକାର ସମାନ କାମକୁ ସମାନ ଦରମା ଲାଗୁ କରିଥିଲେ । କିନ୍ତୁ ପୁନଶ୍ଚ ଏହାକୁ ପରିବର୍ତ୍ତନ କରିବା ଫଳରେ ରାଜ୍ୟର ୪୫୦୦ ଅଧ୍ୟାପକ ଅଧ୍ୟାପିକା ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଆରମ୍ଭ ହେବାକୁ ଯାଉଥିବା +୨ ପରୀକ୍ଷା ଓ ଖାତା ଦେଖାକୁ ସେମାନେ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି ।ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଏହି ଆନ୍ଦୋଳନରେ ହସ୍ତକ୍ଷେପ କରି ଆନ୍ଦୋଳନରତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଡ଼ାକି ଆଲୋଚନା କରିବା ସହିତ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।


