ଜିଲାପାଳଙ୍କ ଅଫିସ ଆଗରେ ବସିଲେ ଦିବ୍ୟାଙ୍ଗ ମହିଳା
ବାଲେଶ୍ୱର, (ସରୋଜ ପଣ୍ଡା):ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା କେତେ ସଫଳ ରୂପାୟନ ହୋଇପାରିଛି ତା’ର ନିଚ୍ଛକ ପ୍ରମାଣ ଦେଖିବାକୁ ମିଳିଛି ବାଲେଶ୍ୱରରେ । ବସ୍ତା ବ୍ଲକ ନାୟକଗୁଡି ଅଞ୍ଚଳର ଶତ ପ୍ରତିଶତ ଭିନ୍ନକ୍ଷମ ଯୁବତୀ ମାନସୀ ପ୍ରଧାନ (୨୮)ଙ୍କ ବିବାହକୁ ବର୍ଷେ ପୂରିଥିବା ବେଳେ ଅଦ୍ୟାବଧି ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ନ ପାଇ ଏବେ ଏ ଅଫିସ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବାରେ ଲାଗିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଅନ୍ୟ ଉପାୟ ନପାଇ ଶେଷରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ବସିରହିଥିଲେ । ଖବର ପାଇ ଜିଲ୍ଲାପାଳ ଦତାତ୍ରୟ ଭାଓସାହେବ ଶିନ୍ଧେ ତାଙ୍କ ନିକଟକୁ ଆସି ସମସ୍ୟା ସମ୍ପର୍କରେ ବୁଝିବା ପରେ ତୁରନ୍ତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅର୍ନ୍ତଗତ ନାୟକଗୁଡି ଗ୍ରାମର ଭିନ୍ନକ୍ଷମ ମାନସୀ ବାଲିଆପାଳ ବ୍ଲକ ଅର୍ନ୍ତଗତ ବୋଳଙ୍ଗ ଅଞ୍ଚଳର ଗରିବ ଶମ୍ଭୁନାଥ ପ୍ରଧାନଙ୍କୁ ୨୦୨୨ରେ ବିବାହ କରିଥିଲେ । ଶମ୍ଭୁନାଥ ଦିନ ମଜୁଆରିଆ ଭାବେ କାମ କରି ଉପାର୍ଜନ କରୁଥିବା ଅର୍ଥ ଓ ମାନସୀ ପାଉଥିବା ମାସିକ ୭ଶହ ଟଙ୍କା ଭତ୍ତା ପରିବାରର ୬ ଜଣ କଷ୍ଟେମଷ୍ଟେ ଚଳୁଛନ୍ତି । ତାଙ୍କର ଗୋଟିଏ ଘର ନଥିବା ବେଳେ ଶୌଚାଳୟ ମଧ୍ୟ ନାହିଁ । ଏମିତିକି ସେମାନେ ଟଙ୍କିକିଆ ସରକାରୀ ଚାଉଳ ପାଉନଥିବା ମାନସୀ ପ୍ରକାଶ କରିଛନ୍ତି । ବସ୍ତା କୋର୍ଟରେ ସେମାନଙ୍କର ବିବାହ ହୋଇଥିବା ବେଳେ ତାଙ୍କୁ ପ୍ରମାଣପତ୍ର ମଧ୍ୟ ମିଳିଛି । ଜଣେ ଭିନ୍ନକ୍ଷମ ବ୍ୟକ୍ତଙ୍କୁ କେହି ସୁସ୍ଥ ଲୋକ ବିବାହ କଲେ ସରକାରଙ୍କ ପକ୍ଷରୁ ତାଙ୍କୁ ୨ଲକ୍ଷ ୫୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବା କଥା । ସବୁ ପ୍ରମାଣପତ୍ର ଥାଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାଙ୍କୁ ଏହି ଅର୍ଥ ମିଳି ନଥିବା ସେ କହିଛନ୍ତି । ବର୍ଷେକାଳ ବିଭିନ୍ନ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଶେଷରେ ବାଧ୍ୟ ହୋଇ ଭାଇଙ୍କ ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ତାଙ୍କ ଅଫିସ ସମ୍ମୁଖରେ ବସି ରହିଥିବା ମାନସୀ ପ୍ରକାଶ କରିଛନ୍ତି । ତେବେ ଜିଲାପାଳଙ୍କ ତନାଘନା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ତରୁଣ ତପନ ପ୍ରହରାଜ ମାନସୀଙ୍କ ପାଖକୁ ଆସି ତାଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ତାଙ୍କଠାରୁ ସମସ୍ତ ପ୍ରକାର କାଗଜ ପତ୍ର ମଧ୍ୟ ନେଇଥିଲେ । ସପ୍ତାହକ ମଧ୍ୟରେ ତାଙ୍କୁ ବିବାହ ସହାୟତା ରାଶି ମଳିବ ବୋଲି ଶ୍ରୀ ପ୍ରହରାଜ ପ୍ରତିଶ୍ରୁତି ଦେଇଛନ୍ତି ।


