ଓଡିଶାରୁ ତିନି ବିଶ୍ୱବିଦ୍ୟାଳୟ ଜାତୀୟ ଏକତା ଶିବିରରେ ଯୋଗଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏକତାର ଉତ୍ସାହ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ଗଢିବାରେ ଉଜ୍ଜ୍ୱଳ ମାର୍ଗଦର୍ଶନ ଦେବ ବୋଲି ବିର୍ଲା ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ପାଟନା, ବିହାରରେ ଆୟୋଜିତ ଜାତୀୟ ସେବା ଯୋଜନା ମାଧ୍ୟମରେ ଆୟୋଜିତ ଜାତୀୟ ଏକତା ଶିବିରରେ ଓଡ଼ିଶାରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୨୩ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରୁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା, ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଡ. ପ୍ରତିମା ପ୍ରଧାନ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ । ୨୫ ଫେବୃୟାରୀ, ୨୦୨୩ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ୯ଟି ରାଜ୍ୟର ପ୍ରତିନିଧିମାନେ ଯୋଗ ଦେଇଥିଲେ । ପିଲାମାନେ ଏକତା ଶିବିର ଆରମ୍ଭରୁ ସବୁ ରାଜ୍ୟ ସହିତ ମିଶି ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିଲେ । ଦେଶାତ୍ମବୋଧକ ଓ ଲୋକନୃତ୍ୟ ସହିତ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକତା ମନ୍ତ୍ରକୁ ଏକ ବନ୍ଧନରେ ପରିଣତ କରି ଏକତା ଓ ଅଖଣ୍ଡତାକୁ ପାଥେୟ କରି ବିଭିନ୍ନ ପ୍ରକାର ନାଚଗୀତ ପ୍ରଦର୍ଶନ କରିବା ସହିତ ଅନେକ ପ୍ରକାର ଆନନ୍ଦରେ ପିଲାମାନଙ୍କର ୭ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଅଖଣ୍ଡତା ଓ ଏକତା ପ୍ରସଙ୍ଗକୁ ନେଇ ରାଲି କରାଯାଇଥିଲା । ଜି-୨୦ ଓ ୱାଇ-୨୦ ଆଲୋଚନାରେ ଭାଗ ନେଇଥିଲେ । ଜି-୨୦ ଉପରେ ପିଲାମାନଙ୍କ ବକ୍ତବ୍ୟ ଓ ୱାଇ-୨୦ ଉପରେ ପିଲାମାନଙ୍କର ଧାରଣାକୁ ଏନ୍ଏସ୍ଏସ୍ର ଆଞ୍ଚଳିକ ନିର୍ଦ୍ଦେଶକ ପିୟୁସ ସାର୍ ଖୁବ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଆଞ୍ଚଳିକ ନିର୍ଦ୍ଦେଶକ ପିୟୁସ ସାର୍ ଓ ବିର୍ଲା ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ପାଟନା, ବିହାରର ନିର୍ଦ୍ଦେଶକଙ୍କ ସହିତ ଏନ୍ଏସ୍ଏସ୍ର ସମସ୍ତ କର୍ମକର୍ତ୍ତାମାନେ ସୁଚାରୂ ରୂପେ କ୍ୟାମ୍ପକୁ ପରିଚାଳନା କରିଥିଲେ । ମାର୍ଚ୍ଚ ୩ ତାରିଖ ଦିନ କ୍ୟାମ୍ପର ଉଦ୍ଯାପନୀ ଉତ୍ସବରେ ସମସ୍ତେ ଭାବବିହ୍ୱଳ ହୋଇ ଏକତା ଓ ଅଖଣ୍ଡତାର ପରିଚୟ ଦେଇଥିଲେ । ଏହି ଶିବିରରେ ସମସ୍ତ ପିଲାମାନେ ଶିକ୍ଷାଲାଭ କରି ନିଜ ନିଜ ରାଜ୍ୟକୁ ଫେରି ଆସିିଥିଲେ ।


