କେନ୍ଦ୍ରାପଡା ବ୍ଲକରେ ଅନ୍ତର୍ଜାତିକ ମହିଳା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେ କହିଥିଲେ ଯେ ମହିଳାମାନେ ହେଉଛନ୍ତି ସମାଜର ପ୍ରଗତିର ମୂଳ ଉତ୍ସ । ସେଥିପାଇଁ କୁହାଯାଏ ଯେ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୋଇଥାଏ । ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରୀକୁ ସୁନିଶ୍ଚିନ୍ତ କରିବା ପାଇଁ ସରକାରୀ ସ୍ତରରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ସାମାଜିକ ସହଯୋଗ ଅଭାବରୁ ଏହାର ସୁଫଳ ମହିଳାମାନଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଜାତୀୟ ସ୍ତରରେ କେନ୍ଦ୍ରାପଡାର ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ କୃତିତ୍ୱକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ରେ ଉଲ୍ଲେଖ କରିବା କେନ୍ଦ୍ରାପଡା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହର ଶୁଭ ଉଦ୍ଘାଟନ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଆମ ଭାରତୀୟ ସମାଜରେ ପିତୃସତ୍ତାତ୍ମକ ମାନସିକତା, ଲିଙ୍ଗଗତ ତାରତମ୍ୟ ୧ ସଙ୍କୀର୍ଣ୍ଣ ମାନସିକତା ମହିଳାମାନଙ୍କୁ ବହୁ ସୁଯୋଗରୁ ବଞ୍ଚିତ କରିଥାଏ । ଆମ ସମାଜରେ ଝିଅଙ୍କୁ ପରିବାର ଲୋକମାନେ ଏକ ବୋଝ ବୋଲି ବିଚାର କରିବା ସହିତ ମହିଳାମାନେ ଅବଳା ଦୁର୍ବଳା ବୋଲି ବିବେଚନା କରାଯାଇଥାଏ । ଫଳରେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ପରିବାର ତଥା ରାଜ୍ୟ ପଛୁଆ ହୋଇ ରହିଯାଇଥାଏ । ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାର୍ଥ ଅଧିକାରୀ ଡା. ଅନିତା ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରକଳ୍ପ ଅଧିକାରିଣୀ ସଂଯୁକ୍ତା ମିଶ୍ର, ଡିପିସି ମମତା ମନୋରଞ୍ଜନ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ମିଶନଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଯୋଗ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶଙ୍କର ଜେନା ଅନ୍ତର୍ଜାତିକ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ୯ଟି ବ୍ଲକର ୯ଜଣ ଆଇ.ସି.ଡି.ଏସ, ସୁପରଭାଇଜର, ମାର୍ଶାଘାଇ ସି.ଡି.ପି.ଓ. ପ୍ରୀତିଲତା ପାଢୀ, ୩ଜଣ ଅଙ୍ଗନବାଡି କର୍ମୀ, ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାର ୨ଜଣ କିଶୋରୀ ପ୍ରତିଯୋଗୀ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଏହି ଦିବସ ପାଳନର ଆଭିମୁଖ୍ୟ ଓ ସଚେତନତା ବାର୍ତ୍ତା ପରିବେଷଣ ପାଇଁ ୧୫ ଜଣ କିଶୋରୀ, ସମ୍ପୂର୍ଣ୍ଣ ମାନସିକ ଅନଗ୍ରସର ପୁତ୍ର ଓ କନ୍ୟାଙ୍କ ଲାଳନପାଳନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ୪ଜଣ ମହିଳା ଓ ସ୍ୱାଧାର ଗୃହରେ ଲାଳନପାଳନ ହୋଇ ସ୍ୱୟଂସମ୍ପୂର୍ଣ୍ଣ ରୋଜଗାରକ୍ଷମ ହୋଇଥିବା ୬ଜଣ ଅନ୍ତେବାସିନୀଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଶଂସାପତ୍ର, ଟ୍ରଫି ଓ ଆର୍ôଥକ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଡେରାବିଶ ବ୍ଲକର ଆଇସିଡିଏସ ସୁପରଭାଇଜର ଅନୀତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନିଷ୍ଠ ରାଜସ୍ୱ ସହାୟକ ଦିଲ୍ଲିପ ଖଟୁଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରକଳ୍ପ ଅଧିକାରିଣୀ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


