ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ୩ ନେତା
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକର ୩ ଜଣ ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି । ଭଦ୍ରକ ଜିଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଚିଠି ନଂ-୧୪/୨୦୨୩ ଅନୁଯାୟୀ ସୋମବାର ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ ଏହି ୩ ଜଣଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାଯାଇଛି । ସେହି ୩ ଜଣଙ୍କ ମଧ୍ୟରେ ବନ୍ତ ବ୍ଲକ ବିଜେଡିର ବରିଷ୍ଠ ନେତା ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ପୂର୍ବତନ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ ରହିଛନ୍ତି । ପ୍ରକାଶ ଥାଉକି, ଗତ ରବିବାର ଦଳରୁ ବହିଷ୍କୃତ ହୋଇଥିବା ଶ୍ରୀ ନାୟକ ବନ୍ତ ପଞ୍ଚାୟତର କର୍ମୀ ମାନଙ୍କୁ ନେଇ ଏକ ସମ୍ମିଳନୀ କରିଥିଲେ । ଏଥିରେ ସେ ଭଣ୍ଡାରିପୋଖରୀ ବିଧାୟକ ଓ ବିଧାୟକ ପ୍ରତିନିଧିଙ୍କୁ ଖୋଲା ଚ୍ୟାଲେଞ୍ଜ କରି ନାନାଦି ମନ୍ତବ୍ୟ ଦେଇଥିଲେ । ଯାହାର ଫଳସ୍ୱରୂପ ତାଙ୍କୁ ଆଜି ଦଳରୁ ବିଦା ହେବାକୁ ପଡିଥିବା ଜଣାଯାଇଛି ।


