ଦୋକାନ ଆଗରୁ ବାଇକରୁ ଲୁଟି ନେଲେ ୧ ଲକ୍ଷ ଟଙ୍କା
ବନ୍ତ, (ଚାନ୍ଦିନୀ ମହାନ୍ତି):ଶୁକ୍ରବାର ବନ୍ତ ବଜାରସ୍ଥିତ ଏକ ଔଷଧ ଦୋକାନ ସମ୍ମୁଖରୁ ଦୁଇ ଜଣ ଲୁଟେରା ବାଇକରୁ ୧ ଲକ୍ଷ ଟଙ୍କା ଏବଂ ମନି ରିସିପ୍ଟ ଥିବା ଏକ ବ୍ୟାଗକୁ ଲୁଟି ନେଇଥିବା ବନ୍ତ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଭଣ୍ଡାରିପୋଖରୀ ଥାନା ବାଲିଗଢିଆ ଗ୍ରାମର ଧିରତ କୁମାର ଦାସ ଭଦ୍ରକସ୍ଥିତ ନାରାୟଣ ଫାର୍ମାର ମନି କଲେକସନର ଭାବେ କାର୍ଯ୍ୟ କରନ୍ତି । ସବୁଦିନ ଭଳି ସେ ଆଜି ସକାଳେ ମୋଟର ସାଇକେଲ ଯୋଗେ କଲେକ୍ସନରେ ବାହାରି ବନ୍ତ ବଜାରରେ ଥିବା ମା’ ମେଡିସିନ ଷ୍ଟୋରକୁ କଲେକ୍ସନ ପାଇଁ ଯାଇଥିଲେ । ଚେକ୍ କଲେକ୍ସନ କରି ବ୍ୟାଗରେ ରଖି ଗାଡିରେ ଟାଙ୍ଗି ଥିଲେ । ପରେ ପାଣି ବୋତଲ ଆଣିବାକୁ ଯାଇଥିବା ବେଳେ ଦୁଇ ଜଣ ପିଲା ଏକ ନାଲି ରଙ୍ଗର ସ୍କୁଟିରେ ଆସି ତାଙ୍କ ବ୍ୟାଗଟିକୁ ନେଇ ଦ୍ରୁତ ଗତିରେ କେନ୍ଦୁଆପଦା ଆଡକୁ ଚାଲି ଯାଇଥିଲେ । ଉକ୍ତ ବ୍ୟାଗରେ ପାଖାପାଖି ୧ ଲକ୍ଷ ଟଙ୍କା ଏବଂ ମନି ରିସିପ୍ଟ ବହି ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନଂ-୬୮/୨୩ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


