ମୋହନା ଘାଟିରେ ଓଲଟିଲା ଅଟୋ ୧୫ ଜଣ ଯାତ୍ରୀ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ବେପାରୁଆ ଗାଡି ଚାଳନା ପଡ଼ିଲା ମହଙ୍ଗା। ଘାଟିରେ ଓଲଟିଲା ଯାତ୍ରୀବାହି ଅଟୋ । ଦିନକୁ ଦିନ ମୋହନା ଅଞ୍ଚଳରେ ଅଟୋ ଦୁର୍ଘଟଣା ବଢିବାରେ ଲାଗିଛି। ବେପାରୁଆ ଗାଡି ଚାଳନା ସାଙ୍ଗକୁ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡ଼ି ଗୁଡିକ ଚ଼ଳପ୍ରଚଳ କରୁଛନ୍ତି। ଆଞ୍ଚଳିକ ପରିବହନ ବିଭାଗ ର ଏଥିପ୍ରତି ନିଘା ନାହିଁ। ଏଭଳି ପରିସ୍ଥିତିରେ ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗୋଟିଏ ଅଟୋରେ ୧୮ଜଣ ଯାତ୍ରୀ ବିଭିନ୍ନ କାମରେ ଯାଉଥିବା ବେଳେ ଅଟୋଟି ଘାଟିରେ ବ୍ରେକଫେଲ ଯୋଗୁଁ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଓଲଟି ପଡିଥିଲା । ଯାହାଫଳରେ ଅଟୋରେ ଯାତ୍ରା କରୁଥିବା ୧୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି।ଗୁରୁତର ମାନେ ହେଲେ ଗୋଚ୍ଛାଗୁଡା ଗ୍ରାମର ରମେଶ ମଳିକ, ରମା ମଳିକ, ଅଲ୍ମାନ ତନ୍ତୀ, ମଙ୍ଗଳା ମଳିକ, ହର୍ଶିନ ତନ୍ତୀ, କେଶଵ ତନ୍ତୀ, ବନ୍ଦୀ ମଳିକ । ଗୁରୁତର ମାନଙ୍କର ମୁଣ୍ଡ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ସୂଚନା ମୁତାବକ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାଗୁଡା ଗ୍ରାମର ଅଟୋ ମାଲିକ ମହେନ୍ଦ୍ର ତନ୍ତୀ ନିଜର ଅଟୋ ଯୋଗେ ୧୮ଜଣ ଯାତ୍ରୀଙ୍କୁ ନେଇ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଲୁହାଗୁଡି ହାଟକୁ ଯାଉଥିଲେ। ସମୟ ସକାଳ ପ୍ରାୟ ୧୦ଟା ବେଳେ ଅଟୋଟି ଗନ୍ତବ୍ଯ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମର କିଛି ଦୂରରେ ଘାଟିରେ ବ୍ରେକଫେଲ ଯୋଗୁଁ ଭାରସାମ୍ୟ ରକ୍ଷା କରିନପାରି ରାସ୍ତା ଠାରୁ ୧୫ ଫୁଟ ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ସମସ୍ତ ଯାତ୍ରୀ ଦୁର୍ଘଟଣାର ଶୀକାର ହୋଇଥିଲେ। ଗ୍ରାମବାସୀ ଓ ପୋଲିସ ପ୍ରଶାସନ ସହଯୋଗରେ ଅଟୋ ଓ ୧୧୨ ଗାଡି ଯୋଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଗୁରୁତର ଭର୍ତ୍ତି ହୋଇଥିଲେ। ଅପରପକ୍ଷେ ଅଡ଼ବା ଓ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ରହିଥିବା ବେଳେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନାହିଁ । ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ତୁରନ୍ତ ଏଠାରେ ଏକ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଆଜି ଗୁରୁତର ଆହତ ହୋଇଥିବା ରୋଗୀମାନଙ୍କୁ ପୋଡାମାରୀ ଓ ଅଡବାରୁ ୨ଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ମୋହନା ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଅଟୋ କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ