ଦିବଂଗତ କୈବଲ୍ୟ ନାଥ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଚାନ୍ଦମାରି ପଡ଼ିଆ ବାସିନ୍ଦା ତଥା ବ୍ୟାସକବିନଗର ବିକାଶ ପରିଷଦର ବରିଷ୍ଠ ସଦସ୍ୟ କୈବଲ୍ୟ ନାଥ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶିବମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଏଥଇରେ ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତ ଦାସଙ୍କର ଗତ ୫ ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ରାଜ୍ୟ ସରକାରଙ୍କ ସମବାୟ ବିଭାଗରେ ଦକ୍ଷତାର ସହ କାର୍ଯ୍ୟ କରି ସହକାରୀ ନିବନ୍ଧକ ପଦବୀରୁ ଅବସର ନେବାପରେ ସେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ମନ୍ଦିର ଟ୍ରଷ୍ଟର ଦାୟିତ୍ୱ ନେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶାକାହାରୀ ଥିଲେ । ବ୍ୟାସକବି ନଗରରେ ସ୍ଥାୟୀ ବାସିନ୍ଦା ଭାବେ ଦୀର୍ଘ ୩ ବର୍ଷ ଧରି ସପରିବାର ରହୁଥିଲେ । ସେ ଜଣେ ସ୍ପଷ୍ଟବାଦୀ ଓ ସଚ୍ଚୋଟ ବ୍ୟକ୍ତି ଥିଲେ ବୋଲି ବକ୍ତାମାନେ ସେମାନଙ୍କ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଉପସ୍ଥିତ ବ୍ୟକ୍ତିମାନେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ସଭାର ଆବାହକ ତଥା ପରିଷଦର ସହ ସଂପାଦକ ବିନୋଦ ବିହାରୀ (ବେଣୁ) ପଣ୍ଡା, ଅକ୍ଷୟ କୁମାର ତ୍ରିପାଠୀ, ସରସ୍ୱତୀ ପଣ୍ଡା, ଇଂ. ପ୍ରତାପ ଚନ୍ଦ୍ର ନାୟକ, ଭଗବାନ ମହନୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଇଂ. ଡମ୍ବରୁଧର ପ୍ରଧାନ, ସଂଯୁକ୍ତା ବେହେରା, ରାଜେନ୍ଦ୍ର ନାୟକ, ଦେବାଶିଷ ଜେନା, ସନ୍ତୋଷ ସେନ୍, ପ୍ରଭାତ କୁମାର ସାହୁ ଓ ରବିନାରାୟଣ କର ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ ।