ଚିକିତ୍ସାଧୀନ ଆହତଙ୍କୁ ନୂଆ ପୋଷାକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜକୁ ବିତିଯାଇଛି ଛଅଦିନ । ଅନେକ ନିଜ ଆତ୍ମୀୟସ୍ୱଜନକୁ ହରାଇଛନ୍ତି । ଅନେକଙ୍କ ପରିବାର ମଧ୍ୟ ଉଜୁଡ଼ି ଯାଇଛି । ଏବେ ବି ଶତାଧିକ ଆହତ ମୃତ୍ୟୁ ସହ ବିଭିନ୍ନ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ରାଷ୍ଟ୍ରୀୟ ବିପତ୍ତି ସମୟରେ ଓଡ଼ିଶାବାସୀଙ୍କ ସମେତ ରାଜ୍ୟର ଯୁବ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ସହଯୋଗରେ ହାତ ବଢ଼ାଇ ଆହତ ଯାତ୍ରୀମାନଙ୍କ ପାଖରେ ଦେବଦୂତ ସାଜି ଛିଡ଼ା ହୋଇଯାଇଛନ୍ତି । ନିଃସ୍ୱାର୍ଥପର ଭାବେ ସମସ୍ତେ ସେବା ଯୋଗାଇ ଚାଲିଛନ୍ତି । ବଞ୍ôଚଛି ମାନବିକତା । ଏଇମାନେ ହିଁ ପ୍ରକୃତରେ ଦେବଦୂତ । ଆହତ ବ୍ୟକ୍ତିଙ୍କ ରକ୍ତାଭାବ ପୂରଣ କରିବା ପାଇଁ କିଏ କରୁଛି ରକ୍ତଦାନ ତ ଆଉ କେହି ସେମାନଙ୍କ ପ୍ରିୟଜନଙ୍କ ଲାଗି ରନ୍ଧା ଖାଦ୍ୟ, କ୍ଷୀର, ଫଳ ବଣ୍ଟନ କରୁଛି ତ ଆଉ କେଉଁଠି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଚାଲିଛି ନୀରବ ପ୍ରାର୍ଥନା ତ ଆଉ କେଉଁଠି ଚାଲିଛି ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଏଭଳି ଦୁଃଖ ସମୟରେ ଏସ୍.ସି.ବି ମେଡ଼ିକାଲ କଲେଜ, କଟକରେ ଚିକିତ୍ସାଧୀନ ଆହତ ବ୍ୟକ୍ତିଙ୍କ ପାଇଁ ପୋଷାକ ଆବଶ୍ୟକ ପଡୁଥିବା ଖବର ପାଇ ଆଗେଇ ଆସିଥିଲା ଭୁବନେଶ୍ୱରର ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟ । ସୂଚନାଯୋଗ୍ୟ, କଟକ ଏସ୍.ସି.ବି ମେଡ଼ିକାଲର ଚକ୍ଷୁ ବିଭାଗର ଉପର ମହଲାରେ ଚିକିତ୍ସାଧୀନ ଆହତଙ୍କୁ ଟ୍ରଷ୍ଟ ପକ୍ଷରୁ ନୂଆ ପୋଷାକ ପ୍ରଦାନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନଙ୍କ ନେତୃତ୍ୱରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ପାଲ୍, ଲକ୍ଷ୍ମଣ ରାଓ, ତ୍ରିଲୋଚନ ବେଉରା, ବାପିନା ନାୟକ ପ୍ରମୁଖ ଆହତଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।


