ଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ନାଉଗାଁ ବ୍ଳକ ପ୍ରଶାସନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତ କୋରୁଅ ଗ୍ରାମରୁ ଦୁଇ ନାବାଳିକାଙ୍କୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ଉଦ୍ଧାର କରାଯାଇଛି । ଦୁଇ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ଘର ଏହି ବ୍ଳକର ଚକୁଳିପଡା ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ବାଲିକୁଦା ବ୍ଳକର ଆମ୍ବଶାଳ ବୋଲି ଜଣାଯାଇଛି । ଦୁଇ ଜଣ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ୨୭ଜୁନ୍ ଓ ଅନ୍ୟ ଜଣଙ୍କର ୪ଜୁଲାଇରେ ବିବାହ କାର୍ଯ୍ୟ ସଂପନ୍ନ ହେବାର ଥିଲା । ବିଶେଷ ସୂତ୍ରରୁ ନାଉଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବାସନ୍ତୀ ମାଇନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏସଆଇ ଦୀପ୍ତିମୟୀ ବିଶ୍ୱାଳ ଖବର ପାଇ ମିଳିତ ଭାବେ ନାବାଳିକା ଦ୍ୱୟ ରହିଥିବା କୋରୁଅ ଗ୍ରାମର ସୁବାସ ସ୍ୱାଇଁ ଓ ସୁବାସ ଦାସଙ୍କ ଘର ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଥାନାକୁ ଅଣାଯାଇଛି । ନାବାଳିକା ଦ୍ୱୟଙ୍କ ପରିବାରକୁ ଏସଂକ୍ରାନ୍ତରେ ଖବର ପ୍ରଦାନ କରାଯାଇଛି । ଉଭୟଙ୍କୁ ଜଗତସିଂହପୁରସ୍ଥିତ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି)କୁ ହସ୍ତାନ୍ତର କରାଯିବ ବୋଲି ସିଡିପିଓ ବାସନ୍ତୀ ମାଇନ କହିଛନ୍ତି । ଏହି ଚଢାଉ ସମୟରେ ଥାନା ପକ୍ଷରୁ ଏସଆଇ ଶ୍ରୀମତୀ ବିଶ୍ୱାଳ, ସିଡିପିଓ ଶ୍ରୀମତୀ ମାଇନ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ସାବିତ୍ରୀ ଜେନା ଉପସ୍ଥିତ ଥିଲେ ।


