କଲେଜ ପରିସରରେ ଦଳୀୟ କାର୍ଯ୍ୟକ୍ରମ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ଠାରେ ଥିବା ବାବାମଣି ଡିଗ୍ରୀ ମହା ବିଦ୍ୟାଳୟର ଏକ କୋଠରୀରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ବୁଧବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଧାମନଗର ବ୍ଲକ ପୂର୍ବତନ ଚେୟାରମ୍ୟାନ ଅଶୋକ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ପାଳସାହି ପଞ୍ଚାୟତର ଦଳୀୟ କର୍ମୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହାକୁ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀମାନେ ବିରୋଧ କରିଛନ୍ତି । ସେମାନେ ଏହାକୁ ନିନ୍ଦା କରିବା ସହ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଏ ସଂକ୍ରାନ୍ତିୟ ଏକ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ମହାବିଦ୍ୟାଳୟରେ ଉପଜିଲ୍ଲାପାଳ ସଭାପତି ଥିଲାବେଳେ କେମିତି ଜଣେ ଦଳୀୟ ନେତାଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜନ ହେଲା ବୋଲି ବିଜେପି କର୍ମୀମାନେ ପ୍ରଶ୍ନ କରିଛନ୍ତି ।


