ନବନିର୍ମାଣର ନବୀନ ହଟାଓ ସ୍ଲୋଗାନ ଆରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୮ନମ୍ବରସ୍ଥିତ ବିଏମ୍ସି କମ୍ୟୁନିଟ ହଲରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜନୈତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧିକାଂଶ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ ଓ କୃଷକ ନେତା ପ୍ରମୁଖ ଯୋଗ ଦେଇଥିଲେ । ସଂଗଠନର ରାଷ୍ଟ୍ରୀୟ ନେତା ଅକ୍ଷୟ କୁମାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସମାଜବାଦୀ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, ଦେଶରେ ଦିନକୁ ଦିନ ବେଶି ବେଶି ବିଷମତା ବଢୁଛି । ଧନୀ ଲୋକମାନେ କମ୍ ଟିକସ ଦେଲାବେଳେ ଗରିବ ଲୋକମାନେ ବେଶି ଟିକସ ଦେଇ ଗରିବ ହେଉଛନ୍ତି । ସମୃଦ୍ଧ ଓଡ଼ିଶାର ସଭାପତି ଯତୀଶ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାରେ ଶାସନ ବଦଳିଲେ ପ୍ରକୃତପକ୍ଷେ ଦୁର୍ନୀତି କିଭଳି ତୃଣମୂଳସ୍ତରରେ ହଟାଯିବା, ପ୍ରତି ୱାର୍ଡ଼ରେ ଲୋକଙ୍କ ତରଫରୁ ଭିଜିଲାନ୍ସ କମିଟି ରଖି ତାହାକୁ ସଫଳ କରିପାରିବୁ ।ପୂର୍ବତନ ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା କହିଲେ ଯେ, ଏବେ ଧନତନ୍ତ୍ରର ଶାସନ ଚାଲିଛି । ଯେଉଁମାନଙ୍କ ପାଖରେ ପଇସା ବେଶି, ସେମାନେ ଶାସନ କରୁଛନ୍ତି । ଆମେ ବିଚକ୍ଷଣ ଚତୁର ବ୍ୟକ୍ତିଙ୍କ ଦ୍ୱାରା ଶାସିତ ହେବାକୁ ଜନ୍ମ ହୋଇନୁ । ସ୍ତମ୍ଭକାର ସୁବାସ ପଟ୍ଟନାୟକ କହିଲେ ଯେ, ଏବେ ରାଜନୀତିରେ ଆଦର୍ଶବାଦର ସମାପ୍ତ ଘଟିଛି । ପେଟପାଟଣାବାଦ ରାଜନୀତିକୁ ନଷ୍ଟଭ୍ରଷ୍ଟ କରିଛି । ସେ ଓଡ଼ିଆ ଭାଷାର ବ୍ୟବହାର ନେଇ କହିଥିଲେ ଯେ, ସମସ୍ତ ଆଇନ ମାତୃଭାଷାରେ ହେବା ଉଚିତ୍ । ପୂର୍ବତନ ଡିଜି ମନମୋହନ ପ୍ରହରାଜ ରାଜ୍ୟରେ ଚାଷର ସ୍ଥିତିକୁ ସୂଚାଇବାକୁ ଯାଇ କହିଥିଲେ ଯେ, ଚାଷ ପ୍ରତି ଆଦୌ ସରକାରୀ ପ୍ରୋତ୍ସାହନ ଓ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବା କାରଣରୁ ଚାଷୀର ମେରୁଦଣ୍ଡ ଭାଙ୍ଗିଛି ଓ ଲୋକେ ଚାଷ କରିବାକୁ ବିମୁଖ ହେଉଛନ୍ତି । ସୂଚନା ଅଧିକାରୀ ଆନ୍ଦୋଳନ ନେତା ପ୍ରଦୀପ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଜ୍ୟରେ ଅବିରତ ଭାବରେ ଖଣି, ପାଣି, ଜଙ୍ଗଲ, ଜମିର ଅବିଚାରିତ ଲୁଟ ଚାଲିଛି । ଏହି ଲୁଟ ଅର୍ଥରେ ବିଜୁ ଜନତା ଦଳ ଜନିବିରୋଧୀ ପ୍ରକଳ୍ପମାନ କରି ଭୋଟରେ ଜିତି ଓଡ଼ିଆଙ୍କୁ ଦରିଦ୍ର ଓ ନିଃସ୍ୱ କରିଛି ।ସମାଜସେବୀ ଡ. ଭଗବାନ ପ୍ରକାଶ ତାଙ୍କ ବକ୍ତବ୍ୟରେ ଫ୍ରାନ୍ସ ବିପ୍ଲବ ଠାରୁ ରୁଷ ବିପ୍ଲବ ମାଧ୍ୟମରେ କିଭଳି ସେ ଦେଶରେ ପରିବର୍ତ୍ତନ ହୋଇଛି ଉଦାହରଣ ଦେଇଥିଲେ । ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନଜୀବୀ ବୋଲି ସମ୍ବୋଧନ କରୁଥିବା ବ୍ୟକ୍ତିଙ୍କୁ ପରୋକ୍ଷ ଇଙ୍ଗିତ କରି ସେ କହିଥିଲେ ଯେ, ଗାନ୍ଧିଜୀଙ୍କ ଠାରୁ ଜୟ ପ୍ରକାଶଙ୍କ ଯାଏ ସମସ୍ତେ ଆନ୍ଦୋଳନଜୀବୀ ଥିଲେ । ପୂର୍ବତନ ଆଇ.ଏ.ଏସ୍ ପଞ୍ଚାନନ ଦାସ, ପଦ୍ମନାଭ ଦାସ, ଧନଞ୍ଜୟ ପ୍ରଧାନ ପ୍ରମୁଖ ଓଡ଼ିଶାରେ ଚାଲିଥିବା ଶାସନ ପ୍ରଣାଳୀକୁ ତୀବ୍ର ସମାଲୋଚନା କରିଥିଲେ । ପଞ୍ଚାନନ ଦାସ କହିଥିଲେ ଯେ, ଓଡ଼ିଶାର ଅସହାୟ ମା’ମାନେ ମିଛ ବିକାଶ ଆଶାରେ ଜଣେ ଅଣଓଡ଼ିଆ ଅଧିକାରୀଙ୍କ ପାଦ ଧୋଇଦେଉଛନ୍ତି । ଧନଞ୍ଜୟ ହେମ୍ବ୍ରମ ତାଙ୍କ ବକ୍ତବ୍ୟରେ ଛତିଶଗଡ଼ରେ କୃଷି କଲେଜ ତୁଳନାରେ ଓଡ଼ିଶାରେ ଜିଲ୍ଲାୱାରୀ ଆଦୌ ନାହିଁ ବୋଲି କହିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓଡ଼ିଆଙ୍କ ସମ୍ପତ୍ତି କିଭଳି ଓଡ଼ିଆଙ୍କ ଉନ୍ନତିରେ ଲାଗିବ, ସେଥିପାଇଁ ସଂଗ୍ରାମ କରିବାକୁ ପଡ଼ିବ ବୋଲି କହିଥିଲେ । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମେ ଏତେଦିନ ନବୀନଙ୍କ ଅନ୍ୟାୟ ଶାସନ ସହିଥିବାରୁ ଆମକୁ ପଶ୍ଚାତାପ କରିବାକୁ ପଡ଼ିବ । ଏଥିପାଇଁ ଅଗଷ୍ଟ ୯ରୁ ୧୫ ‘ପଶ୍ଚାତାପ ସପ୍ତାହ’ ପାଳନ କରାଯିବ । ଅଗଷ୍ଟ ୯ରୁ ୧୫ ଏଥିପାଇଁ ଅକ୍ଷୟ କୁମାର ଲୋୟର ପିଏମ୍ଜିରେ ଅନଶନରେ ବସିବେ । ରାଜ୍ୟବାସୀ ଏଥିପାଇଁ ଏହି ସପ୍ତାହରେ ଗୋଟିଏ ବେଳା ଉପବାସ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି । ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉଚ୍ଚତମ ନ୍ୟାୟାଳୟର ଅଧିବକ୍ତା କ୍ଷୀରୋଦ ରାଉତ, ସମାଜବିଜ୍ଞାନୀ ରଣଜିତ ପଟ୍ଟନାୟକ, ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ରଶ୍ମୀ ରଞ୍ଜନ ସ୍ୱାଇଁ ଓ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଭ୍ୟ କୁଳମଣି, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ରେବତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।