ଛତ୍ରପୁର ବ୍ଲକ ସ୍ତରୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିମନ୍ତେ ଋଣ ମେଳା
ଛତ୍ରପୁର, (ଦେବଦତ୍ତ ମହାରଣା):ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଭିନ୍ନ ଭିନ୍ନ ଯୋଜନାରେ ସାମିଲ କରାଯାଉଛି । ମହିଳା ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥକ ସ୍ଥିତିକୁ ସୁଦୃଢ କରିଥାନ୍ତି । ଏହି ଋଣ ଦ୍ୱାରା ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟତା ପ୍ରଦାନ କରିଥାନ୍ତି । ମହିଳା ମାନେ ଓଢଣୀ ପକାଇ ଘରେ ବସି ରହୁନାହାନ୍ତି ବର୍ତ୍ତମାନ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରିବା ସହିତ ଜଣେ ଜଣେ କ୍ଷୁଦ୍ର ଉଦ୍ୟୋଗୀ ମଧ୍ୟ ହୋଇପାରୁଛନ୍ତି । ବ୍ୟାଙ୍କରୁ ଋଣ ନେଇ ମହିଳା ମାନେ ମାଛ, ଛତୁ, ପରିବା, ଫୁଲ ଆଦି ଚାଷ କରିବା ସହ ପାମ୍ପଡ, ବଢି, ଆଚାର ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ଖୁବ୍ ଲାଭବାନ ହେଉଥିବା ଦେଖିବାକୁ ମିଳିଛି । ଆଉ ପାଦେ ଆଗକୁ ଆସି ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମଙ୍ଗଳବାର ଛତ୍ରପୁର ବ୍ଲକର ୩୬୬ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ ୧୦ ଟି ବ୍ୟାଙ୍କ ପକ୍ଷରୁ ୧୭ କୋଟି ୮୫ ଲକ୍ଷ ୯ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ଏନେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳଙ୍କ ପୌରହିତରେ ଏକ ବ୍ଲକ ସ୍ତରୀୟ ଋଣ ମେଳା ଓ ସୁଧ ଫେରସ୍ତ ସମ୍ପର୍କୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କ ଅଧିକାରୀ ମାନଙ୍କ ଉପସ୍ଥିତିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ଋଣ ବାବଦରେ ଚେକ ପ୍ରଦାନ କରି କିପରି ସେମାନେ ଅଧିକରୁ ଅଧିକ ନିଜ କାର୍ଯ୍ୟ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରି ଲାଭବାନ ହେବେ ସେଥି ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଏହା ସହିତ ଛତ୍ରପୁର ବ୍ଲକ ବ୍ୟାଙ୍କ ଲିଙ୍କେଜରେ ପୂର୍ବରୁ ନମ୍ବର ୧ ରେ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସ୍ଥାନ ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ମାନଙ୍କୁ ଆଗେଇ ନେବା ନିମନ୍ତେ ବିଭିନ୍ନ ଯୋଜନା ମାନ କରି ସାରା ଭାରତ ବର୍ଷରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ ସ୍କୁଟର ଯୋଜନା ବହୁ ଉନ୍ନତ ମାନର ଯୋଜନା । ଏହା ଦ୍ୱାରା ମହିଳା ଗୋଷ୍ଟୀର ସଦସ୍ୟା ମାନେ ବହୁ ଉପକୃତ ହୋଇପାରିବେ ବୋଲି ମଧ୍ୟ ବିଧାୟକ ଶ୍ରୀ ବେହେରା କହିଥିଲେ । ସେହିପରି ଏଲଡିଏମ କିଶୋର ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କ ତରଫରୁ କିପରି ସରଳୀକରଣ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରାଯାଉଛି ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟା ମାନଙ୍କୁ ସଚେତନତା କରାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତିିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାସ୍ୱତ କୁମାର ସାହୁ ଯୋଗ ଦେଇ ମିଶନ ଶକ୍ତିର ମା ମାନଙ୍କ ନିମନ୍ତେ ହୋଇଥିବା ବିଭୀନ୍ନ ଯୋଜନା ଗୁଡିକ ସମ୍ପର୍କରେ ସେ କହିବା ସହ ଆଗାମୀ ଦିନରେ ମା ମାନେ ତିଆରି କରିଥିବା ବିଭିନ୍ନ ସାମଗ୍ରୀ ଗୁଡିକ ହେବାକୁ ଥିବା ଦୁଇଟି ମିଶନ ଶକ୍ତି ବଜାରରେ ବିକ୍ରି କରି ଲାଭବାନ ହୋଇପାରିବେ ବୋଲି ସେ କହିଥିଲେ । ପଂଚାୟତ ସ୍ତରରେ ମଧ୍ୟ ମିଶନ ଶକ୍ତି ବଜାର ହେବାର କାର୍ଯ୍ୟକ୍ରମ ରହିଛି ବୋଲି ମଧ୍ୟ ଶ୍ରୀ ସାହୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବିନ୍, ଛତ୍ରପୁର ସିଡିପିଓ ପ୍ରଣମିତା ପଣ୍ଡା, ଉଦ୍ୟାନ ବିଭାଗର ଛତ୍ରପୁର ବ୍ଲକ ସହକାରୀ ଅଧିକାରୀ ସନ୍ଦୀପ କୁମାର ବଢେଇ, ଛତ୍ରପୁର ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ନାୟକ, ମିଶନ ଶକ୍ତିର ବ୍ଲକ ସଂଯୋଜକ ସନାତନ ସାହୁ, ଓଡିଶା ଜିବୀକା ମିଶନ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଏବଂ ବହୁ ସଂଖ୍ୟକ ମିଶନ ଶକ୍ତିର ମା ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ. ଛତ୍ରପୁର ବ୍ଲକରେ ୨୦୫୧ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଥିବା ବେଳେ ଆଜି ୩୬୬ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୧୭ କୋଟି ୮୫ ଲକ୍ଷ ୯ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି ।


