ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହାସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାରଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଜାତୀୟ ଉତ୍ସବ ଯାକଜମକରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତଙ୍କ ଠାରୁ ଆଶା ପ୍ରକଟ କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଭାତ ଫେରି ରାମଧୂନ୍ ଗାନ ପୂର୍ବକ ଛତ୍ରପୁର ସହର ପରିକ୍ରମା କରାଯିବ । ଏହି ଜାତୀୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ବକ୍ତୃତା ଓ ପ୍ରବନ୍ଧ, ଦେଶାତ୍ମବୋଧ ସଙ୍ଗୀତ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ବାଧୀନତା ଦିବସ ଦିନ ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବହ୍ନ ଘ.୮.୦୦ମି. ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକରେ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରି ଦେଶ ସ୍ବାଧୀନତା ନିମନ୍ତେ ଉତ୍ସର୍ଗ କରିଥିବା ବୀର ପୁରୁଷ ମାନଙ୍କର ସ୍ମୃତି ଚାରଣ କରିବାକୁ କୁହାଯାଇଛି । ପୂର୍ବାହ୍ନ ଘ.୯.୧୫ମି. ସମୟରେ ଛତ୍ରପୁରସ୍ଥିତ ପୋଲିସ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିବେ । ଏହି ପ୍ୟାରେଡ୍ ସକାଶେ ଆୟୋଜିତ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଅପରାହ୍ନ ଘ. ୩ .୩୦ମି. ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଦେଶାତ୍ମବୋଧ ବହୁଭାଷୀ କବିତାପାଠୋତ୍ସବ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଅପରାହ୍ନ ଘ.୦୪.୩୦ମି. ସମୟରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଛତ୍ରପୁର ଟାଉନ୍ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ପ୍ୟାରେଡ୍ ଅଭ୍ୟାସ ଅଗଷ୍ଟ ମାସ ୧୧ ତାରିଖ ଠାରୁ ଆରମ୍ଭ ହେବ । ପ୍ଯାରେଡ୍ ପଡିଆ ପ୍ରସ୍ତୁତି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ସନ୍ଧ୍ୟା ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ବୈଠକରେ ଏନ୍.ଏ.ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡଃ ଏସ୍. ସାହୁ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ, ବ୍ଯାବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନର ମୁଖ୍ଯ, ବରିଷ୍ଠ ନାଗରିକଗଣ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ