ସାମ୍ବାଦିକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଖେଳିଲେ ଜିଲ୍ଲାପାଳ ଓ ଏସ୍‌ପି

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ୮୦ତମ ସ୍ୱାଧୀନତା ଦିବସ ଅବସରରେ ଛତ୍ରପୁର ଷ୍ଟାଡିୟମ୍‌ରେ ସାମ୍ବାଦିକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ରୋମାଞ୍ଚକର ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚର ବିଶେଷ ଆକର୍ଷଣ ଥିଲେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ହରିଶ ବିଶି, ଉଭୟ ମାଇଦାନକୁ ଓହ୍ଲାଇ ଖେଳି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଟସ୍‌ ଜିତି ସାମ୍ବାଦିକ ଏକାଦଶ ପ୍ରଥମେ ବ୍ୟାଟିଂ କରି ଏକ ପ୍ରତିସ୍ପର୍ଧାତ୍ମକ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ଜିଲ୍ଲା ପ୍ରଶାସନ ଏକାଦଶ ରୋମାଞ୍ଚକର ଖେଳ ପ୍ରଦର୍ଶନ କରି ଶେଷ ଓଭରରେ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା। ସାମ୍ବାଦିକ ଏକାଦଶ ପକ୍ଷରୁ ବସନ୍ତ କୁମାର ମହାରଣା ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏକାଦଶର ନେତୃତ୍ୱ ନେଇଥିଲେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା। ଆୟୋଜିତ ମ୍ୟାଚ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ସୌହାର୍ଦ୍ଦ୍ୟ, ସମନ୍ୱୟ ଓ ବନ୍ଧୁତାର ଏକ ସୁନ୍ଦର ନିଦର୍ଶନ ସୃଷ୍ଟି କରିଥିଲା। ଖେଳାଳିମାନଙ୍କ ଉତ୍ସାହଭରା ପ୍ରଦର୍ଶନ ସହ ଦର୍ଶକମାନେ ମଧ୍ୟ ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଥିଲେ ଯେ, କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ସମ୍ପର୍କ, ସହଯୋଗ ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିଥାଏ। ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଏଭଳି ବନ୍ଧୁତାପୂର୍ଣ୍ଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କୁମାର କେର୍କଟା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଁସଦା, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନଙ୍କ ସମେତ ବହୁ ଅଧିକାରୀ, ଛତ୍ରପୁର ପ୍ରେସ କ୍ଲବର ସମସ୍ତ ସଦସ୍ୟ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସୁଚାରୁ ଭାବେ ପରିଚାଳନା କରିଥିଲେ।
ମ୍ୟାଚ ଶେଷରେ ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଜିଲ୍ଲାପାଳ ବିଜୟୀ ଓ ଉପବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏକାଦଶର ଶିବାନନ୍ଦ ତ୍ରିପାଠୀଙ୍କୁ ‘ଶ୍ରେଷ୍ଠ ଖେଳାଳି’ ଭାବେ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ