ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କର ଆଜି ସକାଳ ୬.୪୦ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଏସ୍‌ସିବି ମେଡିକାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପଂଚାନନ, ପୁତ୍ରବଧୂ, ଓ ନାତି ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କ କିଡ୍‌ନୀ ଓ ଫୁସଫୁସ୍‌ରେ ସଂକ୍ରମଣ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲ୍‌ରେ ଚଳିତ ମାସ ୧ ତାରିଖରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଏସ୍‌ସିବି ମେଡିକାଲ୍‌ର ନୂତନ ମେଡିସିନ୍ ୱାର୍ଡ଼ର ଆସିୟୁରେ ଚିକିତ୍ସିତ ହେଉଥିଲେ । କଟକରୁ ତାଙ୍କ ମର ଶରୀର ତାଙ୍କ ପୈତୃକ ବାସଭବନ ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁର ପଂଚାୟତର ହାଟବାଣପୁର ଗ୍ରାମକୁ ଅଣାଯାଇଥିଲା । ସେଠାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ଼ ଅଫ ଅନର୍ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ୍ ଗଭୀର ଶୋକ ପ୍ରକାଶ କରିବା ସହ ରାଜ୍ୟ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ପଂଚାନନ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସାରା କେନ୍ଦ୍ରାପଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ଶୋକବାର୍ତାମାନ ପହଂଚିବାରେ ଲାଗିଛି । କେନ୍ଦ୍ରାପଡ଼ାର ଗର୍ବ ଓ ଗୌରବ ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ୍ ହୋଇ ବ୍ରିଟିଶ୍‌ରାଜ୍ ବିରୁଦ୍ଧରେ ସଂଗ୍ରାମ କରି କାରାବରଣ କରିଥିଲେ । ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରୀ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ଗତ ୯.୮.୨୦୨୩ରିଖରେ ଚଳିତ ବର୍ଷ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ରାଷ୍ଟ୍ରପତି ଭବନରୁ ଆସିଥିବା ଅଙ୍ଗବସ୍ତ୍ର, ସାଲ୍ ଏବଂ ପୁଷ୍ପଗୁଚ୍ଛ ଦେଇ ଏହି ସଂଗ୍ରାମୀ ବୀରଙ୍କୁ କ୍ରାନ୍ତି ଦିବସର ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ୍‌ଙ୍କ ନେତୃତ୍ୱରେ ତାଙ୍କୁ ଗାର୍ଡ଼ ଅଫ ଅନର୍ ପ୍ରଦାନ କରାଯାଇଥିବା ବେଳେ ସେଠାରେ ଡେରାବିଶ ବିଡିଓ ଦାଶରଥି ଜେନା, ଡେରାବିଶ ତହସିଲ୍‌ଦାର୍ ଅକ୍ଷୟ କୁମାର ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂ, ସ୍ଥାନୀୟ ପ୍ରଶାସନ, ସମତି ସଭ୍ୟ, ସରପଂଚ, ୱାର୍ଡ଼ ମେମ୍ବର, ଗ୍ରାମବାସୀ, ଆତ୍ମୀୟସ୍ୱଜନ ଓ ବହୁ ରାଜନେତା ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପରମାତ୍ମା ପରମେଶ୍ୱରଙ୍କ ନିକଟରେ ଆନ୍ତରିକ ପ୍ରାର୍ଥନା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ