ଦ ବି ଆଇ ପି ଏଫ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ସ୍ଥିତ ଦ ବି ଆଇ ପି ଏଫ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଶିଫାଲିକା ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ସଭାପତି ଆସନ ଅଳଙ୍କୃତ କରିଥିଲେ | ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ଶ୍ରୀଯୁକ୍ତ ତ୍ରିଜିବ ଚନ୍ଦ୍ର ହୋତା, ଦ ବି ଆଇ ପି ଏଫର ଉପସଭାପତି ଶ୍ରୀଯୁକ୍ତ ଧର୍ମେଶ ଗୋଏଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ଶ୍ରୀମତୀ ଶିଫାଲିକା ପଣ୍ଡା ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ତାଙ୍କର ଅଦମ୍ୟ ପ୍ରତିଭାକୁ ପ୍ରଂଶସା କରିଥିଲେ ଏବଂ ଉତ୍ତମ ନାଗରିକ ହୋଇ ଦେଶ ଗଠନରେ ସାହାଯ୍ୟ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ | ଅତିଥିମାନେ ଛାତ୍ରଛାତ୍ରୀମାନଙ୍କର ସୃଜନୀଶକ୍ତିର ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ କାମନା କରିଥିଲେ | କାର୍ଯ୍ୟକ୍ରମଟି ସ୍ୱାଗତ ସଙ୍ଗୀତ ପରିବେଷଣରୁ ଆରମ୍ଭ ହୋଇଥିଲା | ଶେଫାଲି ସାହସମଲ ଓ ସୁମନ ଭୂୟାଁ ସମେତ ବିଦ୍ୟାଳୟର କର୍ମକର୍ତ୍ତା ଉତ୍ସବ ପରିଚାଳନା କରିଥିଲେ | ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା | ଏହି ବାର୍ଷିକ ଉତ୍ସବର ବିଷୟବସ୍ତୁ ଥିଲା ‘ସେଲିବ୍ରେଟିଙ୍ଗ୍ ଦ ସକସେସ୍ ଅଫ୍ ଚନ୍ଦ୍ରୟାନ’ ଯାହାକି ଖୁବ୍ ଆକର୍ଷଣୀୟ ଥିଲା | ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରିଥିଲେ | ପରିଶେଷରେ ଶିକ୍ଷୟିତ୍ରୀ ପୁଷ୍ପିତା ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ | ଅଭିଭାବକମାନଙ୍କ ସହିତ ବହୁ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ |