ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନକ୍ରୟ ମଣ୍ଡି ଉଦଘାଟିତ ହୋଇଛି । ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ସଭାପତି ରବୀନ୍ଦ୍ର କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରିଥିଲେ । ଏଥିସହିତ ସାରା ଜିଲ୍ଲାରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଏକ ସଚେତନତା ରଥକୁ ମଧ୍ୟ ଉଦଘାଟନ କରିଥିଲେ । ଚଳିତବର୍ଷ ଜିଲ୍ଲାରେ ଖୋଲାଯାଇଥିବା ୧୧୮ଟି ଧାନମଣ୍ଡିରେ ଧାନକ୍ରୟ ନିମନ୍ତେ ନିଜ ନାମ ପଞ୍ଜିକରଣ କରିଥିବା ଜିଲ୍ଲାର ୪୦୯୦୯ଜଣ ଚାଷୀ ଆସନ୍ତା ମାର୍ଚ୍ଚମାସ ୩୧ତାରିଖ ପର୍ଯ୍ୟନ୍ତ ସେମାନଙ୍କ ଧାନ ବିକ୍ରୟ କରିପାରିବେ । ଚଳିତବର୍ଷ ଏଫ୍‌.ଏ.କ୍ୟୁ. ମାନର ସାଧାରଣ ଧାନ କ୍ୱିଂଟାଲ ପ୍ରତି ୨ହଜାର ୧୮୩ଟଙ୍କା ଥିବାବେଳେ ଏ- ଗ୍ରେଡ ଧାନ କ୍ୱିଂଟାଲ ପିଛା ୨୨୦୩ଟଙ୍କା ରହିଛି । ଧାନ ବିକ୍ରୟରେ ଯଦି କୈାଣସି ଚାଷୀଙ୍କର କିଛିି ସମସ୍ୟା ଦେଖାଦିଏ ତେବେ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତି ସମୁହର ସହକାରୀ ନିବନ୍ଧକ କିମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । ଆଜି ପ୍ରଥମ ଚାଷୀ ଭାବେ ଜମଧର ମଣ୍ଡିରେ ଜଣ୍ଟିଲୋ ଗ୍ରାମର ଅକ୍ଷୟ କୁମାର ପରିଡା ତାଙ୍କର ୧୫କ୍ୱିଂଟାଲ ଧାନ ବିକ୍ରୟ କରିଥିଲେ । ଧାନମଣ୍ଡି ଗୁଡିକ ସପ୍ତାହରେ ୩ଦିନ ମାତ୍ର ଖୋଲା ରହିବ । ଯେଉଁ ୩ଦିନ ଖୋଲା ରହିବ ତାହା ସଂପୃକ୍ତ ସମବାୟ ସମିତିର ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିବ । ଏହି ଉତ୍ସବରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ ଦାସ, ନିୟନ୍ତ୍ରିତ ବଜାର କମିଟିର ଭାରପ୍ରାପ୍ତ ସମ୍ପାଦକ ସଚିଦାନନ୍ଦ ଜେନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଅମର କୁମାର ନାୟକ, ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ