ଯାତ୍ରା ଦେଖିବାକୁ ଯାଇ ଶବ ହୋଇ ଫେରିଲେ କୁମର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗାରୋଇ ଗ୍ରାମର କୁମର ବିଶ୍ୱାଳ(୫୫) ଶୁକ୍ରବାର ଯାତ୍ରା ଦେଖିବାକୁ ଯାଇ ରାସ୍ତା ପାଶ୍ୱର୍ରେ ମରି ପଡିଥିବାର ଦେଖିବାକୁ ମିଳଛି । ସୂଚନା ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ଗ୍ରାମକୁ କୁମର ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଘରକୁ ଫେରି ନଥିଲେ । ଘର ଲୋକ ଖୋଜା ଖୋଜି କରିବା ପରେ ତାଳଦା ଗ୍ରାମର ଏକ ରାସ୍ତା ପାଶ୍ୱର୍ରେ କୁମରଙ୍କ ମର ଶରୀର ପଡିଥିଲା । ମୃତ କୁମରଙ୍କ ନିକଟରେ ମଦ ପେଟି ସହିତ ସିଲ ହୋଇଥିବା ଭଙ୍ଗା ମଦ ବୋତଲ ଆଦି ଚାରିଆଡେ ପଡି ରହିଛି । ବିଳମ୍ବିତ ରାତିରେ ଅଜଣା ଚୋରା ମଦ ଗାଡି ଧକ୍କାରେ କୁମରଙ୍କ ମୃତ୍ୟୁ ଘଟିଥିବା ସାଧାରଣରେ ଆଲୋଚନା ହେଉଛି । ଅନ୍ୟପଟରେ ଅଜଣା ଗାଡି ଧକ୍କାରେ କୁମରଙ୍କ ମୃତ୍ୟୁ ହୋଇଥିବା କୁମରର ଭାଇ ରବିନ୍ଦ୍ର ବିଶ୍ୱାଳ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୁମରଙ୍କର ୨ପୁଅ ସମେତ ବିଧବା ପତ୍ନୀ ରହିଛନ୍ତି । କୁମର ଗାରୋଇ ଛକରେ ଏକ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । କୁମରଙ୍କ ମୃତ୍ୟୁ ପରେ ପରିବାରର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅସ୍ତରଙ୍ଗ ଥାନା ପକ୍ଷରୁ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପ୍ରକାଶଯୋଗ୍ୟ ଯେ ନାଉଗାଁ ବ୍ଳକ ଓ ପୁରୀ ଜିଲା ଅସ୍ତରଙ୍ଗ ବ୍ଳକ ମଧ୍ୟରେ ଦେବୀନଦୀ ପ୍ରବାହିତ । ଉକ୍ତ ଦୁଇ ବ୍ଳକକୁ ସଂଯୋଗ କରିବା ପାଇଁ ଦେବୀ ନଦୀର ସୁଆକଣ ଓ ତାଳଦା ଠାରେ ଡାହାଣିଖିଆ ସେତୁ ନିର୍ମାଣ କରାଯାଇଛି । ଯାହାଫଳରେ ଯିବା ଆସିବା କରିବା ସହଜ ହୋଇଯାଇଛି । ଏହି ସ୍ଥାନଟି ନିଛାଟିଆ ହୋଇଥିବା ବେଳେ ୨ବ୍ଳକର ସୀମାନ୍ତ ଅଂଚଳରେ ଅବସ୍ଥିତ । ଯାହାଫଳରେ ଚୋରା ମଦ ବେପାରୀମାନେ ରାତିରେ ଏହି ବାଟ ଦେଇ ପୁରୀ ଜିଲା ତଥା ସ୍ଥାନୀୟ ଅଂଚଳରୁ ନାଉଗାଁ, ବାଲିକୁଦା, ଜଗତସିଂହପୁର ଆଦି ସ୍ଥାନକୁ ଚୋରା ମଦ ଆଣିବା ପାଇଁ ସକ୍ଷମ ହେଉଛନ୍ତି । ନିକଟରେ ଗାରୋଇ ଫଣ୍ଡି ରହିଥିଲେ ମଧ୍ୟ ଠିକ୍ ଭାବେ ତଦାରଖ କରାଯାଉ ନଥିବା ଯୋଗୁ ଚୋରା ବେପାରୀ ମାନେ ସକ୍ରିୟ ହେଉଥିବା ସ୍ଥାନୀୟ ବାସିନ୍ଦା ନାମ ଉହ୍ୟ ରଖି ପ୍ରକାଶ କରିଛନ୍ତି ।