ପୁରସ୍କାର ପାଇବା ପରେ ବଢ଼ିଛି ଦାୟିତ୍ୱ:ଜିଲ୍ଲାପାଳ
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜ୍ୟର ୩୦ଟି ଜିଲ୍ଲା ଭିତରୁ ଶିକ୍ଷାକ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲାକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବା ପରେ ସାରା ଜିଲ୍ଲାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । କେବଳ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ନୁହନ୍ତି, ତମାମ ଜିଲ୍ଲାବାସୀ ଏହି ବିରଳ ସଫଳତାକୁ ମନଭରି ଉପଭୋଗ କରୁଛନ୍ତି । ବ୍ୟାସକବି ଫକୀରମୋହନ ସେନାପତିଙ୍କ ମାଟିରେ ଶିକ୍ଷାର ଯେଉଁ ଡିଣ୍ଡିମ ବାଜି ଉଠିଛି, ତା’ର ସ୍ୱରକୁ ଏହିପରି ଊଦ୍ଧ୍ୱର୍ରେ ରଖିବାକୁ ଜିଲ୍ଲାପାଳଙ୍କ ସମେତ ଏଥିରେ ସମ୍ପୃକ୍ତ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ପଣ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିଭାମଞ୍ଜରୀ ଦାସ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରାଚୀ ତନୟା ଗିରି, ଶ୍ରୀଯୁକ୍ତ ପବିତ୍ର ମୋହନ ବାରିକ ଓ ଶ୍ରୀଯୁକ୍ତ ଧରଣୀଧର ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ସମେତ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ବାର୍ଷିକ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ, ସମଗ୍ରଶିକ୍ଷା ଅନ୍ତର୍ଗତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ, ନିୟମିତ ବ୍ୟବଧାନରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମୀକ୍ଷା ବୈଠକର ଆହ୍ୱାନ ଏବଂ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରଣୟନ କରି ଶିକ୍ଷାର ବିକାଶ ଦିଗରେ ବାଲେଶ୍ୱର ଜିଲ୍ଲା ଏକ ଉଦାହରଣ ସୃଷ୍ଟି କରିପାରିଛି । ଶ୍ରେଷ୍ଠ ଜିଲ୍ଲା ବିଭାଗରେ ପୁରସ୍କୃତ ହେବା ପରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ କହିବା କଥା, ଏହା ଏବେ ସାରା ଜିଲ୍ଲା ପାଇଁ ଏକ ଦାୟିତ୍ୱ ଭାବରେ ଉଭା ହୋଇଛି । କାରଣ ପ୍ରଥମ ହେବାଠାରୁ ପ୍ରଥମ ସ୍ଥାନ ବଜାୟରଖିବା ନିଶ୍ଚିତ ଭାବରେ ଏକ ଆହ୍ୱାନ ସୃଷ୍ଟିକରିଛି । ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲା ପ୍ରଥମ ହେବା ପଛରେ ଥିବା କାରଣଗୁଡ଼ିକ ମଧ୍ୟରୁ ‘ବାଲେଶ୍ଵର ବୁକ୍ କ୍ଲବ୍’, ‘ଏ-୧ ବାଲେଶ୍ଵର’ ଓ ଉନ୍ନତ ବିଦ୍ୟାଳୟ ପରିଚାଳନାକୁ ଶ୍ରେୟ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁକ୍ କ୍ଲବ୍ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଛାତ୍ରଛାତ୍ରୀ ମାନେ ନିୟମିତ ଭାବରେ ପୁସ୍ତକ ସମୀକ୍ଷା କରିଥା’ନ୍ତି, ଯାହା ତାଙ୍କର ବୌଦ୍ଧିକ ବିକାଶରେ ପ୍ରତ୍ୟକ୍ଷ ଭାବରେ ସହାୟକ ହୋଇଥାଏ । ଏଥି ନିମନ୍ତେ ସେମାନଙ୍କୁ ବ୍ଲକ୍ ଓ ଜିଲ୍ଲା ସ୍ତରରେ ପ୍ରୋତ୍ସାହିତ କରିବାକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ । ୧୨ଟି ବ୍ଲକ୍ ରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ମହୋତ୍ସବରେ ପୁରସ୍କୃତ କରାଯାଏ । ଜିଲ୍ଲାରେ ମଧ୍ୟ ପ୍ରତି ବ୍ଲକ୍ ରେ ଶ୍ରେଷ୍ଠ ପ୍ରତିଭାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଶ୍ରେଷ୍ଠଙ୍କୁ ଚୟନ କରାଯାଏ । ଏଥିସହ ଜିଲ୍ଲାର ସମୁଦାୟ ମ୍ୟାଟ୍ରିକ ବୋର୍ଡ ପରୀକ୍ଷର୍ଥୀଙ୍କମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଯେପରି ଏ-୧ ଗ୍ରେଡ୍ ରେ ଉନ୍ନୀତ ହେବେ, ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ବିଭାଗୀୟ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟ ବିଭିନ୍ନ ବିଷୟର ଏକ୍ସପର୍ଟ ମାନଙ୍କୁ ଆଣି ଯେ କୌଣସି ବିଷୟରେ ପିଲାମାନଙ୍କ ସନ୍ଦେହ ମୋଚନ କରିବାକୁ ଉଦ୍ୟମ ଅବ୍ୟାହତ ରଖିଥା’ନ୍ତି । ଏହି କ୍ରମରେ ପିଲାମାନଙ୍କ ଲିଖନ କୌଶଳ, କେଉଁ ପ୍ରଶ୍ନକୁ ପ୍ରାଥମିକତା ଦିଆଯିବା ଉଚିତ, ପରୀକ୍ଷାରେ ସମୟର ସୁପରିଚାଳନା ଆଦି ବାବଦରେ ପ୍ରଶିକ୍ଷଣ ଦିଆଯାଇଥାଏ ।ତେବେ ବାଲେଶ୍ୱର ଜିଲ୍ଲା ଆଗାମୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଧ୍ୟ ଏହି ସଫଳ ପ୍ରଦର୍ଶନକୁ ବଜାୟ ରଖିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି ।