କେନ୍ଦ୍ରୀୟ ବଜେଟ ୨୦୨୪ ‘ବିକାଶିତ ଭାରତ’ ଦିଗରେ ପାଦେ ନା ସାମାଜିକ ନ୍ୟାୟ ପ୍ରତି ଆଉ ଏକ ଆଘାତ !
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍-୨୦୨୪ ‘ବିକଶିତ ଭାରତ’ ଦିଗରେ ପାଦେ ନୁହେଁ, ବରଂ ସାମାଜିକ ନ୍ୟାୟ ପ୍ରତି କୁଠାରାଘାତ ବୋଲି ଜାତୀୟ ଦଳିତ ମାନବ ଅଧିକାର ଅଭିଯାନ (ଏନ୍ସିଡିଏଚ୍ଆର) ପକ୍ଷରୁ ଅଭିଯୋଗ କରାଯାଇଛି । ‘ସବ୍ କା ସାଥ୍, ସବ୍କା ବିକାଶ’ କେବଳ ଏକ ସ୍ଲୋଗାନ ବୋଲି ଅଭିହିତ କରି ଦେଶର ୨୫ ପ୍ରତିଶତ ଏସ୍ସି, ଏସ୍ଟି ବର୍ଗଙ୍କ ତ୍ୱରିତ ବିକାଶ ଏକ ସୁଦୂର ପରାହତ ସ୍ୱପ୍ନ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଶନିବାର ଅପରାହ୍ନରେ ସ୍ଥାନୀୟ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବଦିକ ସମ୍ମିଳନୀରେ ଏନ୍ସିଡିଏଚ୍ଆର ଦ୍ୱାରା ‘ଦଳିତ ଆଦିବାସୀ ବଜେଟ୍ ବିଶେଷ୍ଲଣ-୨୦୨୪’ ଉନ୍ମୋଚନ କରାଯାଇ ଏହି ବଜେଟ କିଭଳି ଏହି ଦୁଇବର୍ଗଙ୍କ ପ୍ରତି ନ୍ୟାୟ କରୁନାହିଁ, ତାହା ଉପସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ଅନ୍ତରୀଣ ବଜେଟ ୧,୬୫,୫୯୮ କୋଟି ଅନୁସୂଚିତ ଜାତି କଲ୍ୟାଣ ଆବଣ୍ଟନ ଓ ୧,୨୧,୦୨୩ ଅନୁସୂଚିତ ଜନଜାତି କଲ୍ୟାଣ ଆବଣ୍ଟନ କରାଯାଇଛି । କିନ୍ତୁ ଏସ୍ସି ଆବଣ୍ଟନର ୨୬.୭୪% (୪୪,୨୮୨ କୋଟି ଟଙ୍କା ମାତ୍ର) ଓ ଏସ୍ଟି ଆବଣ୍ଟନର ୨୯.୯୨%, (୩୬,୨୧୨ କୋଟି ଟଙ୍କା ମାତ୍ର) ଲକ୍ଷ୍ୟଯୁକ୍ତ ସ୍କିମ୍ ପାଇଁ ଉଦ୍ଦିଷ୍ଟ ଯାହା ସିଧା ଏହି ଦୁଇବର୍ଗର ବିକାଶ ନିମନ୍ତେ ବିନିଯୋଗ ହେବ । ଏମାନଙ୍କର ତ୍ୱରିତ ବିକାଶ ନିମନ୍ତେ ଏତେ ସ୍ୱଳ୍ପ ଆବଣ୍ଟନ, ଦଳିତ-ଆଦିବାସୀବର୍ଗର ଜରୁରୀ ଆବଶ୍ୟକତାକୁ ପୂରଣ କରିବାରେ ତଥା ସାମ୍ପ୍ରତିକ ଅସମତାକୁ ଦୂର କରି ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶ ଦିଗରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବାରେ ବିଫଳ ହେବ । କେନ୍ଦ୍ର ସରକାର ‘ଜାତି’ର ସଂଜ୍ଞାକୁ ପରିବର୍ତ୍ତନ କରି ଦଳିତମାନଙ୍କ ପ୍ରସଙ୍ଗଗୁଡ଼ିକୁ ଉପେକ୍ଷା କରିବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଇଛି । ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ କେବଳ ୪ଟି ଜାତିରେ ବିଶ୍ୱାସ କରନ୍ତି ଯାହା ହେଉଛି ‘ଗରିବ, ଯୁବ, ମହିଳା ଓ ଅନ୍ନଦାତା’ । ଏହା କେବଳ ହଜାର ହଜାର ବର୍ଷର ସଂଘର୍ଷକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବାର ଅପଚେଷ୍ଟା ନୁହେଁ, ଏହା ମଧ୍ୟ ‘ସମାବେଶୀ ସମାଜ’ର ପରିଭାଷା ଉପରେ ଶକ୍ତ ଆଘାତ ବୋଲି ଅଭିହିତ କରାଯାଇଛି । ଏହି ବଜେଟରେ ଦଳିତ ଉଦ୍ୟୋଗୀମାନଙ୍କ ପାଇଁ ଅଳ୍ପ ସୁଧରେ ଋଣ ପାଇଁ ଭେଞ୍ଚର କ୍ୟାପିଟାଲ ଫଣ୍ଡରେ ଆବଣ୍ଟନ ୭୦ କୋଟିରୁ ୧୦ କୋଟିକୁ ହ୍ରାସ କରିଦେବା, ଜାତୀୟ ସଫାଇ କର୍ମଚାରୀ ଆର୍ଥିକ ଉନ୍ନୟନ ନିଗମ ଓ ଜାତୀୟ ଅନୁସୂଚିତ ଜାତି ଆର୍ଥିକ ଉନ୍ନୟନ ନିଗମର ଆବଣ୍ଟନ ପରିମାଣ ଯଥାକ୍ରମେ ୧୦ କୋଟି ଓ ୧୫ କୋଟିରୁ ହ୍ରାସ କରି ୧ କୋଟି ଲେଖାଏଁ କରାଯିବା, ଲକ୍ଷ୍ୟଯୁକ୍ତ ବିକାଶକୁ ବନ୍ଦ କରିବାର ଏକ ପ୍ରକ୍ରିୟା ବୋଲି କହିଛନ୍ତି । ଏସ୍ଟି, ଏସ୍ସି ନିର୍ଯ୍ୟାତନା ଆଇନ୍ ଓ ନାଗରିକ ସୁରକ୍ଷା ଆଇନର କାର୍ଯ୍ୟକାରିତା ପାଇଁ ୫୬୦ କୋଟି ଟଙ୍କା ଓ ଦଳିତ ଆଦିବାସୀ ମହିଳାମାନଙ୍କ ବିକାଶ ପାଇଁ ଅଭିବୃଦ୍ଧି ବଜେଟର ଯଥାକ୍ରମେ ୧.୩୨ ପ୍ରତିଶତ ଓ ୦.୩୪ ପ୍ରତିଶତ ଆବଣ୍ଟନ ଚିନ୍ତାଜନକ ବୋଲି କୁହାଯାଇଛି; ଏଥିସହିତ ଦଳିତ ଆଦିବାସୀମାନଙ୍କ ଭୂମିହୀନତା ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବ ରହିବା ଏହି ଦୁଇବର୍ଗର ଆର୍ଥିକ ବିକାଶ ତଥା ଜୀବିକାର୍ଜନ ପ୍ରତି ଅବହେଳା ବୋଲି କୁହାଯାଇଛି । ଲକ୍ଷ୍ୟଯୁକ୍ତ ସ୍କିମ୍ ଗୁଡ଼ିକରେ ଅଧିକ ଆବଣ୍ଟନ, ଏସ୍ସି-ଏସ୍ଟି ଉପଯୋଜନା ଆଧାରରେ ଆଇନ ପ୍ରଣୟନ, ଜାତି-ବଂଶ-ଲିଙ୍ଗ-ଅଞ୍ଚଳଭିତ୍ତିକ ଅସୁରକ୍ଷା ଆଧାରରେ ଜଳବାୟୁ ଓ ବିପର୍ଯ୍ୟୟ ବଜେଟରେ ସ୍ୱତନ୍ତ୍ର ଆବଣ୍ଟନ, ମହିଳା ସଫେଇ କର୍ମଚାରୀମାନଙ୍କ ପୁନର୍ବାସ ଯୋଜନାର ପୁନଃ ପ୍ରଚଳନ ଆଦି ୭ ଦଫା ପ୍ରସ୍ତାବ ସୁପାରଶ ରୂପେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ଏହି ସମ୍ମିଳନୀରେ ସର୍ବଶ୍ରୀ ସଂଗ୍ରାମ ମଲିକ, ସେବା ନିବୃତ୍ତ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ନାୟକ ଓ ସଞ୍ଜୟ କୁମାର ହାବଡ଼ା, ଅଭିରାମ ମଲ୍ଲିକ, ମାନସ ଜେନା, ସଞ୍ଜୟ କୁମାର ମଲ୍ଲିକ, ତପନ ନାୟକ ପ୍ରମୁଖ ଉପସ୍ଥିତ ରହି ବଜେଟ ବିଶ୍ଲେଷଣ ରିପୋର୍ଟ ଉପରେ ଅବତାରଣା କରିଥିଲେ ।