ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ଉତ୍ସବ ଉଦଘାଟିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଓରମାସ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ,ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିବା ସହିତ କେନ୍ଦ୍ରାପଡାର ଐତିହ୍ୟ ଓ ସଂସ୍କୃତି ମହାନ ବୋଲି କହିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗ ଦେଇ କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରି ରଖିବା ପାଇଁ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡିକର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ଏଭଳି ମେଳାର ଆୟୋଜନ କରାଯାଇଛି ବୋଲି କହିଥିଲେ । ଏହି ମେଳା ଦ୍ୱାରା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ୱୟଂ ସହାୟିକ ଗୋଷ୍ଠୀ ଗୁଡିକ ଯୋଗ ଦେଇ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ବିକ୍ରୀ କରି ଆର୍ଥିକ ସ୍ୱାବଲମ୍ବନଶୀଳ ହେବା ସହିତ ସେମାନଙ୍କର କଳା ସଂସ୍କୃତି ଓ ଭାବର ଆଦାନ ପ୍ରଦାନ ଦ୍ୱାରା ସଂପର୍କ ସ୍ଥାପନ ହୋଇ ପାରିବ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ପରିଡା ମେଳା ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଭାବଗ୍ରାହୀ କଳା ନିକେତନର କଳାକାର ମାନେ ଆବାହନୀ ସଂଗୀତ ପରିବେଷଣ କରିଥିଲେ ।


