କେନ୍ଦ୍ରାପଡା କଲେଜରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତକାରୀ ଟିମ୍
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତକାରୀ ଟିମ ଆଜି ପହଞ୍ଚିଛି । ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଏକ ଦୁଇଜଣିଆ ଟିମ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପହଞ୍ଚି ପୂର୍ବତନ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ଡେପୁଟୀ ଡାଇରେକ୍ଟର ରଞ୍ଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଦୁଇଜଣିଆ ଟିମରେ ସହକାରୀ ନିର୍ଦେଶକ ବିଜୟ କୁମାର ସାହୁ ଅଛନ୍ତି । ଏହି ଦୁଇଜଣିଆ ଟିମ ଆଜି ପୂର୍ବାହ୍ନରେ ମହାବିଦ୍ୟାଳୟରେ ପହଞ୍ଚି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଜିତ ବୋଷଙ୍କୁ ଭେଟିଥିଲେ । ପରେ କଲେଜ ମିନି କନଫରେନ୍ସ ହଲ ପରିସରରେ ଏହି ତଦନ୍ତକାରୀ ଟିମର ଉଭୟ ସଦସ୍ୟ ପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଫାଇଲ ସମେତ ପ୍ରତ୍ୟେକଟି ଖର୍ଚ୍ଚର କାଗଜପତ୍ର ଟିକିନିଖି କରି ଯାଞ୍ଚ କରୁଥିବା ସୂଚନା ମିଳିଛି । ଏଥିସହିତ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅବସର ପରେ ତାଙ୍କ ପେନସନ ଜନିତ କାଗଜପତ୍ରକୁ ମଧ୍ୟ ତଦନ୍ତ କରାଯାଉଥିବା ଟିମ ଲିଡର ଡେପୁଟୀ ଡାଇରେକ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ କାର୍ଯ୍ୟକାଳରେ କିଭଳି ଭାବେ କଲେଜ ପାଣ୍ଠି ଓ ସରକାରୀ ଅନୁଦାନରୁ କୋଟି କୋଟି ଟଙ୍କା ଉଠାଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବାର ଆଳରେ ହରିଲୁଟ କରାଯାଇଛି ଏବଂ ବେଆଇନ ନିଯୁକ୍ତି କରାଯାଇଛି ସେସବୁର ପ୍ରମାଣ ଏହି ତଦନ୍ତ ପରେ ଲୋକଲୋଚନକୁ ଆସି ପାରିବ ।


