ପରିଚୟ ମିଳିଲେ ସବୁ ମିଳିଯାଏ
ଦିପ୍ତିମୟୀ ନାୟକ
ଯେତେବେଳେ କୌଣସି ନିର୍ଦ୍ଧିଷ୍ଟ ପରିଚୟ ନଥାଏ ସେତେବେଳେ କିଛି ନିଜର ଲୋକ ପର ହୋଇଯାଆନ୍ତି | ସମ୍ପର୍କର ସୂତାଖିଅକୁ ଛିଣ୍ଡେଇ ଅନ୍ୟ ଏକ ସମ୍ପର୍କରେ ଯୋଡ଼ି ହୋଇଯାଆନ୍ତି | ଇଚ୍ଛା ହେଲେ କଥା ହୁଅନ୍ତି ଇଚ୍ଛା ହେଲେ ସେମାନଙ୍କ ମନକୁ ଯାହା ଆସେ ସେମାନେ ଶୁଣେଇ ଦିଅନ୍ତି | କାରଣ ଏମାନଙ୍କୁ କେବଳ ପରିଚୟ ଥିବା ମଣିଷ ହିଁ ଅତି ନିଜର ଲାଗନ୍ତି ଆଉ ଯାହାର ପରିଚୟ ନଥାଏ ସେମାନେ ଭାବନ୍ତି ଏମାନଙ୍କ ସହ କଥା ହୋଇ କିଛି ଲାଭ ନାହିଁ କାହିଁକି ନା ଏମାନେ ଆମର କୌଣସି କାମରେ ଆସିବେନି | ସ୍ଵାର୍ଥ ଦେଖି ସୁବିଧା ଖୋଜି ସୁବିଧାବାଦୀ ମଣିଷ ହୋଇ ଅନ୍ୟକୁ ସବୁବେଳେ ଆଘାତ ଦିଅନ୍ତି | ଯଦିଓ ପ୍ରତ୍ୟେକ ଲୋକଙ୍କ ଜୀବନରେ ଗୋଟେ ପରିଚୟ ନିହାତି ଦରକାର ତେବେ ସେହି ପରିଚୟ ସମସ୍ତଙ୍କୁ ଦିନେନା ଦିନେ ମିଳିଯିବ ହେଲେ ଥରେ କୌଣସି ସମ୍ପର୍କରେ ତିକ୍ତତା ଆସିଗଲେ ଆଉ ଥରେ ସେହି ସମ୍ପର୍କକୁ ଯେତେ ଚାହିଁଲେ ଯୋଡି ହେବନି |ତେବେ ନିଜ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ନିଜ ପରିଚୟ ଗଢିବାପାଇଁ ଅନେକ ଲୋକ ଆଜିବି ନିଜକୁ ସଂଘର୍ଷ ଘେରଭିତରେ ରଖି ନିଜ ଜୀବନର ସଂଘର୍ଷ ଜାରି ରଖିଛନ୍ତି | ଯାହାକୁ ଅତି ସହଜରେ ସଫଳତା ମିଳିଯାଏ ସେ ନିଜ ପରିଚୟ ଗଢିଦିଏ | ଆଉ ଯିଏ ନିଜ ପରିଚୟ ଗଢିବାରେ ବିଫଳ ହୋଇଥାଏ ସେ ସଂଘର୍ଷ କରିବା ଛାଡ଼ିନଥାଏ | ହେଲେ କିଛି ଲୋକ ବୁଝନ୍ତିନି ଅନ୍ୟକୁ ସବୁବେଳେ କଟାକ୍ଷ କରି କହିବା ଏମାନଙ୍କର ଗୋଟେ ପୁରୁଣା ଅଭ୍ୟାସ | ଆପଣମାନେ ଅନେକଥର ଦେଖିଥିବେ କିଛି ବିଫଳ ମଣିଷଙ୍କ ପାଖରେ ଆଉ କିଛି ସଫଳ ବ୍ୟକ୍ତିବିଶେଷ ରୁହନ୍ତିନି କାରଣ ସେମାନଙ୍କୁ ଲାଗେ ଏମାନେ ତ ଏମାନଙ୍କ ଜୀବନରେ କିଛି ହେବେନି ଏମାନଙ୍କୁ କିଏ ପଚାରେ ଜାଣିକି ଯାହାର ପରିଚୟ ଅଛି ଆମେ ତା ସହ ମିଶିବା ଆଉ ଗର୍ବରେ କହିବା ଏମାନେ ହେଉଛନ୍ତି ଆମ ପରିଚିତ ଲୋକ | କିନ୍ତୁ ସେମାନେ ଭୁଲିଯାଇଥାନ୍ତି ସବୁ ଲୋକ ସମାନ ନୁହଁନ୍ତି କାହିଁକି ନା ଏମାନେ ସିନା ଗୋଟେ ବିଫଳ ହୋଇଥିବା ଲୋକର ଦୃଢଇଚ୍ଛା ଶକ୍ତିକୁ ମାରି ଦେଉଛନ୍ତି କିନ୍ତୁ ଆଜିବି ଏମିତି କିଛି ସଫଳ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ଅସଫଳ ଲୋକଙ୍କୁ ସଫଳ ହେବାର ମନ୍ତ୍ର ଦେଇଥାନ୍ତି | ଯେମିତିକି ଗୋଟେ ଶୁଖିଲା ପାହାଡ଼ ଉପରେ ଆଲୋକ ଦେଖାଗଲା ପରି ଏମାନେ ଅନ୍ୟକୁ ସବୁବେଳେ ମାର୍ଗଦର୍ଶନ କରାଇଥାନ୍ତି |ଯଦିଓ ଆଜିର ସମାଜରେ କିଛି ମନ୍ଦ ଉଦେଶ୍ୟର ଲୋକ ଅନ୍ୟର ମନୋବଳକୁ ଭାଙ୍ଗି ଦିଅନ୍ତି କିନ୍ତୁ ଆଜିବି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ଉତ୍ସାହିତ କରି ଅନ୍ୟର ପରିଚୟ ଗଢିବାରେ ସେମାନେ ସକ୍ଷମ ହୋଇଛନ୍ତି |ଜୀବନରେ ସବୁବେଳେ ଗୋଟେ କଥା ଭାବିବା ଉଚିତ ଯଦି ଆମେ କାହା ଦୁଃଖର ସାଥି ହୋଇପାରୁନେ ତେବେ ଆମେମାନେ କେମିତି ଚିନ୍ତାକରୁଛେ ସେମାନଙ୍କ ସୁଖର ସାଥି ହେବାକୁ | ଯଦି ପରିଚୟ ନଥିବା ଲୋକଙ୍କୁ ଆମେ ନିଜଠୁ ଦୂରେଇ ଦେଉଛେ ତେବେ ସେମାନଙ୍କ ପରିଚୟ ମିଳିଗଲା ପରେ ଆମେ କାହିଁକି ସେମାନଙ୍କ ସାଥି ହେବାକୁ ଚାହୁଁଛେ | ସବୁ ପ୍ରତୀକ୍ଷାର ଅନ୍ତ ଥାଏ ସେଥିପାଇଁ ଗୋଟେ ପରିଚୟ ହଜେଇଥିବା ମଣିଷକୁ ଦିନେନା ଗୋଟେ ପରିଚୟ ମିଳିଯାଏ | ତେବେ ଦୁନିଆରେ ଗୋଟେ କଥା ନିଶ୍ଚିନ୍ତ ଶିଖନ୍ତୁ ପରିଚୟ ନଥିଲେ କେହି ନଥିବେ ଆଉ ଗୋଟେ ନିର୍ଦ୍ଧିଷ୍ଟ ପରିଚୟ ଥିଲେ ବହୁ ସମ୍ପର୍କୀୟ ତୁମ ନିଜର ନହୋଇକି ବି ନିଜର ହୋଇଯିବେ | ସେଥିପାଇଁ ତ ପରିଚୟ ଥିଲେ ମାନସମ୍ମାନ, ଇଜ୍ଜତ ସବୁକିଛି ମିଳିଯାଏ | ହେଲେ ସେମାନେ କେମିତି ଜାଣିବେ ଆଜି ଯେଉଁ ପରିଚିତ ଚେହେରା ସହ ଦୁଇପଦ କଥା ହେବାକୁ ଇଚ୍ଛା କରୁଛନ୍ତି ଏହିମାନେ ତ ବାରମ୍ବାର ଏହି ପରିଚୟକୁ ଲୁଚେଇଦେବାପାଇଁ ଚେଷ୍ଟା କରିଛନ୍ତି | ଯଦି କିଛି ଲୋକଙ୍କ ଭଲପାଇବା ନମିଳିଥାନ୍ତା ହୁଏତ ଏ ସଫଳତା ଆଜି ମିଳିନଥାନ୍ତା |ଆପଣ ଜାଣି ଆଶ୍ଚଯ୍ୟ ହେବେ ଆଜିବି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପରିଚୟ ଖୋଜିବାପାଇଁ ଅନେକ ଚେଷ୍ଟା କରିଥାନ୍ତି | ରାତିର ଅନ୍ଧକାର ଭିତରେ ମୋବାଇଲର ସେହି ମିଞ୍ଚି ମିଞ୍ଜି ଆଲୁଅ ଭିତରେ ସେମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବାପାଇଁ ମୋବାଇଲ ଉପରେ ଲୁହକୁ ଢାଳି ଖାତା ବଦଳରେ ନିଜ ଜୀବନର କାହାଣୀ ମୋବାଇଲ ଭିତରେ ଲୁଚେଇ ରଖିଥାନ୍ତି | କିନ୍ତୁ ସେମାନେ କେମିତି ଜାଣିବେ ଏହି ସଂଘର୍ଷର କାହାଣୀ କେତେ ଲମ୍ବା | ଦିନରାତି ଏକ କରି ପାଠ ପଢି ଯେତେବେଳେ ସ୍ୱପ୍ନ ସତ ହୁଏନି ସେତେବେଳେ ଅନେକ ନିଜ ଜୀବନ ଯୁଦ୍ଧରେ ହାରିଯାଆନ୍ତି କିନ୍ତୁ କିଛି ଲୋକ ଥାଆନ୍ତି ଯେଉଁମାନେ ନିଜ ପରିଚୟ ପାଇଁ ପାଗଳ ଭଳି ନିଜର ପରିଶ୍ରମ ଜାରି ରଖିଥାନ୍ତି | ଆଉ ଯେତେବେଳେ କୌଣସି ସ୍ୱତନ୍ତ୍ର ପରିଚୟ ମିଳିଯାଏ ସେଠି ଅଣଦେଖା ସମ୍ପର୍କ ଗୁଡାବି ଆଖି ଦୃଶିଆ ସମ୍ପର୍କ ହୋଇଯାଏ | କାହିଁକି ନା ପରିଚୟ ମିଳିଲେ ଏଠି ସବୁକିଛି ମିଳିଯାଏ | ତେବେ ଧର୍ଯ୍ୟ ଧରନ୍ତୁ ନିଜ ପରିଶ୍ରମ ଜାରି ରଖନ୍ତୁ | ସମ୍ପର୍କ ସଜାଡ଼ିବାକୁ ଯାଇ ନିଜେ ଅସଜଡ଼ା ନ ହୋଇ ନିଜ ସ୍ୱପ୍ନ ସଜେଇ ପରିଶ୍ରମ ଜାରି ରଖ ଦେଖିବ ସମୟ ଆସିଲେ ତୁମ ପରିଚୟ ହିଁ ତମର ସାଥି ହୋଇଯିବ |


