ଧାରା ଶ୍ରାବଣରେ ନଈନାଳ ଶୁଖିଲା ବର୍ଷା ପାଇଁ ଚାହିଁ ବସିଛି ଚାଷୀ
ନିମାପଡା,(ସନ୍ତୋଷ ଦାଶ):ଚଳିତ ବର୍ଷ ଅନିୟମିତ ମୌସୁମୀ ଯୋଗୁଁ ଚାଷୀ ମାନେ ହତୋତ୍ସାହିତ ହୋଇପଡିଛନ୍ତି। ଚାଷୀ ମାନେ ତଳି ପକାଇବା, ରୁଆ ବେଉଷଣ କାମ କରିବା ତ ଦୂରର କଥା ବର୍ଷା ଅଭାବରୁ ବା ଅନୁକୂଳ ବାତାବରଣ ନଥିବାରୁ ଏ ପର୍ଯ୍ୟନ୍ତ ଜମିଗୁଡ଼ିକ ହଳ ହୋଇ ପ୍ରସ୍ତୁତ ହୋଇ ପାରୁନାହିଁ। ନା ତଳି ପକାଇବାକୁ ପ୍ରସ୍ତୁତି କରି ପାରୁଛନ୍ତି ବିଲ କୁ ନା ବିଲ ରେ ଧାନ ବୁଣି ପାରୁଛନ୍ତି ଚାଷୀ। ପୁରୀ ଜିଲ୍ଲା ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ପାଖାପାଖି ୨୦୦ ହେକ୍ଟର ଜମିରେ ଧାନ ବୁଣା ସରିଥିଲେ ମଧ୍ୟ ଅର୍ଦ୍ଧାଧିକ ଜମିରେ ଗଜାମରୁଡି ହୋଇ ବୁଣା ଧାନ ସବୁ ନଷ୍ଟ ହୋଇଗଲାଣି। ପାଣିପାଗ ସୂଚନାକୁ ଆଧାର କରି ଚାଷୀମାନେ ରଜ ପୂର୍ବରୁ ବିହନ ବୁଣି ଦେଇଥିବା ବେଳେ ଅସରାଏ ଦି ଅସରା ବର୍ଷା ପରେ ଯେଉଁ ଖରା ହେଲା ସେଥିରେ ଧାନ ଗଜା ହୋଇ ଅତି ମାତ୍ରା ଖରାରେ ସବୁ ପୋଡିଯାଇ ନଷ୍ଟ ହୋଇଗଲା ବୋଲି ଚାଷୀ ସୁରେନ୍ଦ୍ର ଭୋଇ ଓ ରଘୁ ବେହେରା ପ୍ରକାଶ କରିଛନ୍ତି। କେନାଲ ରେ ପାଣି ଛଡା ଯାଇନଥିବାରୁ କୌଣସି ଗ୍ରାମରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଅନ୍ୟପଟେ କିଛି ଗ୍ରାମ ରେ ଜଳସେଚନର ସୁବିଧା ନ ଥିବାରୁ ଚାଷୀ ମାନେ ଗ୍ରାମ ନିକଟରେ ଥିବା ନଈ, ନାଳ,ଚୁଆ, ପୋଖରୀ ଓ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ପ୍ରାଚୀ ଓ କାଦୁଆ ନଦୀ ତଟବର୍ତ୍ତି ଅଞ୍ଚଳରେ ପ୍ରତିବର୍ଷ ବନ୍ୟା ଯୋଗୁଁ ଧାନ ଫସଲ ଧୋଇଯାଏ। ସେଥିପାଇଁ ସେହିସବୁ ଅଞ୍ଚଳରେ ଚାଷୀମାନେ ଦୁଇ ତିନିଥର ତଳି ରୋଇବାକୁ ପଡ଼ିଥାଏ। ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବିଳମ୍ବ ଘଟିଛି। ଆଷାଢ଼ ମାସ ସରି ଶ୍ରାବଣ ମାସ ଆରମ୍ଭ ହେଲାଣି ହେଲେ ବର୍ତ୍ତମାନ ସୁଦ୍ଧା ଚାଷ ପାଇଁ ଆବଶ୍ୟକୀୟ ବର୍ଷା ନାହିଁ ।ପ୍ରତିଦିନ ଆକାଶରେ କଳା ହାଣ୍ଡିଆ ମେଘ ଉଠାଉଥିଲେ ବି ବର୍ଷା ହେଉନି। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି। ବର୍ଷା ନଥିବାରୁ ଅନେକ ଚାଷୀ ଚାଷ ଉପରୁ ମୁହଁ ଫେରାଇ ନେବାକୁ ବାଧ୍ଯ ହେଉଛନ୍ତି। ତେବେ ଜଳସମ୍ପଦ ବିଭାଗ ବିଭିନ୍ନ କେନାଲ୍ ମାନଙ୍କରେ ଥିବା ଅବ୍ୟବସ୍ଥା କୁ ସଜାଡ଼ି ଜଳସେଚନର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି ରଖିଛନ୍ତି। ସେହିପରି ଯେଉଁ ଗ୍ରାମ ମାନଙ୍କରେ ଉଠା ଜଳସେଚନ ର ବ୍ୟବସ୍ଥା ଅଛି ସେଠାରେ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାଇ ଜଳସେଚନର ବ୍ୟବସ୍ଥା କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ଏ ସଂପର୍କ ରେ ପାଣିଛତ୍ର ସ୍ଥିତ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ଙ୍କୁ ପଚାରିବାରେ ସେ ବର୍ଷା ଅଭାବ କୁ ସ୍ବୀକାର କରିଛନ୍ତି। ବିଭାଗ ପକ୍ଷରୁ ଖୁବ ଶୀଘ୍ର କେନାଲ ରେ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା ହେଉଥିବା ପ୍ରକାଶ କରିଛନ୍ତି।