ଜମିର ସୀମା ନିର୍ଦ୍ଦାରଣ ପାଇଁ ତହସିଲରେ ମିଥ୍ୟା ସତ୍ୟପାଠ ଦାଖଲ ହୋଇଥିବା ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଗଳଧାରୀ ଗ୍ରାମର ଏକ ଜମିର ସୀମା ନିର୍ଦ୍ଧାରଣ ପାଇଁ ମିଥ୍ୟା ସତ୍ୟପାଠ ଦାଖଲ ହୋଇଥିବା ଉକ୍ତ ଗ୍ରାମର ଶିଶିର ଗୋଚ୍ଛାୟତ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତହସିଲ ପକ୍ଷରୁ ହୋଇଥିବା ମାପକୁ ରଦ୍ଦ କରିବା ପାଇଁ ସେ ଅଭିଯୋଗରେ ଦର୍ଶାଇଛନ୍ତି । ସୂଚନା ମୁତାବକ ଏହି ଗ୍ରାମର ଠାକୁର ସେବା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଶିଶିରଙ୍କ ପରିବାରକୁ କିଛି ଚାଷ ଜମି ଯୋଗାଇ ଦିଆଯାଇଥିଲା । କାଳକ୍ରମେ ଉକ୍ତ ଜମି ଶିଶିରଙ୍କ ପରିବାର ନାମରେ ହୋଇଥିଲା । କିନ୍ତୁ ଏହି ଜମି ଅନ୍ୟ ଜଣକ ନାମରେ ହୋଇଯାଇ ଥିବାକୁ ନେଇ ମାନ୍ୟବର କୋର୍ଟରେ ମାମଲା ଦାୟର କରାଯାଇଥିଲା । ବର୍ତମାନ ଏହି ମାମଲା ବିଚାରଧିନ ରହିଛି । ହେଲେ ନାଉଗାଁ ତହସିଲ ପକ୍ଷରୁ ଏହି ଜମି ଉପରେ ବିନା ସୂଚନାରେ ମାପ ଚୁପ୍ କରାଯାଇଥିଲା । କେଉଁ ଆଇନି ବଳରେ ଏହି ଜମିରେ ମାପଚୁପ କରାଗଲା ବୋଲି ଶିଶିର ନାଉଗାଁ ତହସିଲରେ ଅଭିଯୋଗ କରିଥିଲେ । ନିୟମ ଅନୁସାରେ ଯେଉଁ ଜମିକୁ ତହସିଲ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯିବ ସେହି ଜମି ଉପରେ କୌଣସି ମାମଲା ହୋଇ ନ ଥିବା ଆବେଦନକାରୀଙ୍କ ଦ୍ୱାରା ଏକ ସତ୍ୟପାଠ ତହିସଲଦାରଙ୍କ ନିକଟରେ ଦାଖଲ କରିବାକୁ ହେବ । ହେଲେ ଗଳଧାରୀରେ ତହସିଲ ପକ୍ଷରୁ ଯେଉଁ ଜମି ମାପ କରାଯାଇଛି । ସେହି ଜମି ଉପରେ ପୂର୍ବରୁ ମାମଲା ବିଚାରଧୀନ ରହିଛି । ଏହି ମାପକୁ ରଦ୍ଦ କରିବା ପାଇଁ ଶିଶିର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହିତ ଜମିକୁ ମାପ କରିବା ପାଇଁ ତହସିଲରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବ୍ୟକ୍ତିଙ୍କ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମଧ୍ୟ ଦାବି କରିଛନ୍ତି । ଏ ସଂର୍ପକରେ ନାଉଗାଁ ତହସିଲଦାର ଶିବାଶିଷ ପରିଡାଙ୍କୁ ପଚାରିବାରେ ଜମି ମାପ ପାଇଁ ନିୟମ ଅନୁସାରେ ଆବଶ୍ୟକ କାଗଜପତ୍ର ସହିତ ସତ୍ୟପାଠ ଦାଖଲ କରାଯାଇଥିବାରୁ ମାପ କରାଯାଇଥିଲା । ଅଭିଯୋଗ ପାଇବା ପରେ ମାପକୁ ରଦ୍ଦ କରାଯାଇଛି । ମିଥ୍ୟା ସତ୍ୟପାଠ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଜମି ସୀମାନିର୍ଦ୍ଧାରଣ କରିବା ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ