ପାଳନ ହେଉନି କୋଟ୍‌ପା ଆଇନ ସର୍ବସାଧାରଣ ସ୍ଥାନରେ ବଢୁଛି ଧୂମପାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସର୍ବସାଧାରଣରେ ବହୁ ଲୋକ ଧୂମପାନ କରୁଛନ୍ତି । ପାନ ଖୁଟଖା ଖାଇ ରାସ୍ତାରେ ଛେପ ପକାଉଛନ୍ତି । ଏହା ଉପରେ କଟକଣା ରହିଥିଲେ ମଧ୍ୟ ଅନେକ ନିୟମ ପାଳନ କରୁନାହାନ୍ତି । ଫଳରେ ରାଜ୍ୟରେ କୋଟ୍‌ପା ଆଇନ ଏକ ପ୍ରକାର ସ୍ଥାଣୁ ପାଲଟିଛି ।ଏହି ଆଇନ ବଳରେ ନିୟମ ଉଲଘଂନକାରୀଙ୍କ ପାଇଁ ଜୋରିମାନା ଆଦାୟର ବ୍ୟବସ୍ଥା ହୋଇଥିଲା । ହେଲେ କିଛି ବର୍ଷ ହେବ କୋଟ୍‌ପା ଆଇନରେ ପୁଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ୨୦୦୮ ମସିହା ଅକ୍ଟୋବର ୨ରେ ସର୍ବସାଧାରଣରେ ଧୂମପାନ କରିବା ଉପରେ ସାରା ଦେଶରେ କଟକଣା ଲଗାଯାଇଥିଲା । ସର୍ବସାଧାରଣ ସ୍ଥଳ, ଚିକିତ୍ସାଳୟ, ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ନ୍ୟାୟଳୟ ପରିସର ସମେତ ବ୍ୟାଙ୍କ,ହୋଟେଲ, ସିନେମାହଲ ଏବଂ ଜନଗହଳିପୁର୍ଣ୍ଣ ସ୍ଥାନରେ ଧୂମପାନ ନଷେଧ ଆଇନ କଡାକଡି ହେଉଥିଲା । ଏପରିକି ରାସ୍ତା ଘାଟରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ସ୍କାଡ୍ ଗଠନ କରାଯାଇଥିଲା । କୋଟ୍‌ପା ଆଇନ କାର୍ଯ୍ୟକାରୀ ହେବା ଫଳରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମନରେ ଭୟ ସୃଷ୍ଟି ହେଉଥିଲା । ଯାହା ଫଳରେ ଲୋକେ ନିଛାଟିଆ ସ୍ଥାନରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଥିଲା । ଏ କ୍ଷେତ୍ରରେ ପୁଲିସ ପ୍ରଶାସନ କିଛିଟା ତତ୍ପରତା ଦେଖାଉଥିଲା । ହେଲେ କିଛି ଦିନ ପରେ ଯେସାକୁ ତେସା ପରିସ୍ଥିତି ଉପୁଜିଥିଲା । ବର୍ତ୍ତମାନ କୋଟ୍‌ପା ଆଇନ କେବଳ କାଗଜ କଲମ ମଧ୍ୟରେ ସିମୀତ ରହିଯାଇଥିବା ଜଣାପଡିଛି । ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ସମେତ ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଧୂମପାନ କରୁଥିବାର ଦେଖିବାକୁ ମିଳିଛି । ୨୦୧୯ ମସିହାରେ ସଂଶୋଧିତ ଆଇନ ବଳରେ ତମାଖୁ ଜାତୀୟ ସାମଗ୍ରୀ ପ୍ୟାକେଟ ଉପରେ ୭୦% ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା ଓ ଏହା ଦ୍ୱାରା ଘଟୁଥିବା କ୍ଷତିର ସାଙ୍କେତିକ ଚିହ୍ନ ରହିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଏପରିକି ନିକୋଟିନ ଯୁକ୍ତ ପାନମସଲା ବିକ୍ରି ବନ୍ଦ କରାଯାଇଥିଲା । ୧୮ ବର୍ଷ ବୟସର କମ୍ ପିଲା ମାନଙ୍କୁ ପାନ,ବିଡି, ସିଗାରେଟ, ମାୱାମସଲା ଗୁଟଖା ଆଦି ବିକ୍ରି ନକରିବା ପାଇଁ ନିୟମ କଡାକଡି କରାଯାଇଥିଲା । ହେଲେ କିଛି ଗୁଟଖା ଓ ମାୱାମସଲା ପ୍ରସ୍ତୁତକାରୀ କମ୍ପାନୀଏହି ନିୟମକୁ ପାଳନ କରୁଥିବା ବେଳେ ବହୁ ପ୍ରସ୍ତୁତକାରୀ କମ୍ପାନୀ ଏହି ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । ସେମାନେ ବେଧଡକ ଭାବେ ଲୁଚାଛପାରେ କାରବାର ଚଳାଇ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ଶିକ୍ଷାନୁଷ୍ଠାନର ୧୦୦ମିଟର ପରିଧି ପରିସରରେ ପାନ,ବିଡି, ସିଗାରେଟ, ମାୱାମସଲା ଗୁଟଖା ସମେତ ନିକୋଟିନ ଯୁକ୍ତ ସାମଗ୍ରୀ ବିକ୍ରି କରାଯାଉଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଦୋକାନୀ ମାନେ ଲାଭ ପାଇବା ଆଶାରେ ସରକାରୀ ନିୟମକୁ ଖୋଲାଖୋଲି ଉଲଘଂନ କରି ୧୮ ବର୍ଷ ବୟସ ଠାରୁ କମ୍ ବୟସର ଶିଶୁ ମାନଙ୍କୁ ପାନ,ବିଡି, ସିଗାରେଟ, ମାୱାମସଲା ଗୁଟଖା ସମେତ ନିକୋଟିନ ଯୁକ୍ତ ସାମଗ୍ରୀ ବିକ୍ରି କରୁଥିବାର ଜଣାପଡିଛି । ଫଳରେ ସଂଶୋଧିତ କୋଟ୍‌ପା ଆଇନ ସମ୍ପୁର୍ଣ୍ଣ ଭାବେ ସ୍ଥାଣୁ ପାଲଟିଥିବା ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆଇନ କଡାକଡି ଭାବେ ପାଳନ କରାଯିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଯାହା ଫଳରେ ୨୦୧୪ ମସିହାରେ ରାଜ୍ୟରେ ସର୍ବାଧିକ ୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଠାରୁ କୋଟ୍‌ପା ଆଇନ ବଳରେ ଜୋରିମାନା ଆଦାୟ କରାଯାଇଥିଲା । ଏହା ପରେ ୨୦୧୫ ମସିହାରେ ୩୭୦୦, ୨୦୧୬ରେ ୧୮୦୦, ୨୦୧୭ରେ ୧୯୪୦, ୨୦୧୮ରେ ୯୦୦, ୨୦୧୯ରେ ୪୫୦ ଜଣଙ୍କ ଠାରୁ କୋଟ୍‌ପା ଆଇନ ବଳରେ ଜୋରିମାନା ଆଦାୟ କରାଯାଇଥିବା ବେଳେ ୨୦୨୦ରେ ମାତ୍ର ହାତଗଣତି କିଛି ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏହାପରେ ଆଉ କୌଣସି ବ୍ୟକ୍ତିଙ୍କ ଠାରୁ କୋଟ୍‌ପା ଆଇନ ବଳରେ ଜୋରିମାନା ଆଦାୟ କରାଯାଇନଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କୋଟ୍‌ପା ଆଇନକୁ କଡାକଡି ପାଳନ କରିବା ସହ ଉଲଘଂନକାରୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ