ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତିର ବଢୁଛି ଚାହିଦା, ଚିନ୍ତାରେ ମାଟି ମୂର୍ତ୍ତି କାରିଗର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପାଖେଇ ଆସୁଛଇ ପାର୍ବଣ ଋୁତୁ । ମୂର୍ତ୍ତି କାରିଗର ମାନେ ଦିନରାତି ଏକ କରି ମୂର୍ତ୍ତି ଗଢିବାରେ ବ୍ୟସ୍ତ । ହେଲେ ଆଜିକା ଦୁନିଆରେ ଏଭଳି ଆଉ ନାହିଁ । ଆଧୁନିକ ଯୁଗରେ ବୈଜ୍ଞାନିକ ପ୍ରଣାଳୀରେ ଖୁବ୍ କମ୍ ସମୟରେ ଅଧିକ କାମ ହାସଲ କରିବା କୌଶଳ ଲୋକେ ଶିଖିଗଲେଣି । ଯୁଗ ସହିତ ତାଳ ଦେଇ ଲୋକେ ବି କମ୍ ସମୟରେ ଅଧିକ କାମ ହାସଲ କରିବା କୌଶଳ ଅବଲମ୍ବନ କରିବାରେ ଲାଗିଛନ୍ତି । ଏଥିରୁ ବି ବାଦ ପଡିନାହାନ୍ତି ମୂର୍ତ୍ତି କାରିଗର । ହେଲେ ମାଟିରେ ତିଆରି କରୁଥିବା ମୂର୍ତ୍ତି କାରିଗର ମାନେ ବର୍ତ୍ତମାନ ପରିସ୍ଥିତିରେ ଚିନ୍ତାରେ ପଡିଛନ୍ତି । ଆଗ ଭଳି ଆଉ ମାଟିରେ ତିଆରି ମୂର୍ତ୍ତିର ଚାହିଦା ନାହିଁ କହିଲେ ଚଲେ । ଖୁବ୍ କମ୍ ସମୟରେ ଆଖିକୁ ଚକ୍ ଚକ୍ କରି ଦେଖାଯାଉଥିବା ପ୍ଳାଷ୍ଟର ପ୍ୟାରିସରେ ତିଆରି ମୂର୍ତ୍ତିର ଚାହିଦା ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ମାଟିରେ ତିଆରି ମୂର୍ତ୍ତି ବ୍ୟବସାୟ ଦିନକୁ ଦିନ କମି ଆସୁଥିବା ବେଳେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦା ବଢିବାରେ ଲାଗିଛି । ପାର୍ବଣ ଋୁତୁ ଆସିଲେ ସାଧାରଣତଃ କାରିଗର ମାନେ ମାଟି ସଂଗ୍ରହ କରି ମୂର୍ତ୍ତି ପ୍ରସ୍ତୁତ କରୁଥିବା ବେଳେ ବଜାରରେ ପହଞ୍ଚିଯାଉଛି ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି । ତେଣୁ ମାଟି କାରିଗର ମାନେ ଚିନ୍ତିତ ହୋଇପଡୁଛନ୍ତି । ପୂର୍ବ ପରୁଷାନୁକ୍ରମରେ ମାଟି କାମକୁ ଆଦରି ନେଇ ମୂର୍ତ୍ତି ଗଢୁଥିବା ବେଳେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି ସେମାନଙ୍କ ଚିନ୍ତା ଦ୍ୱିଗୁଣିତ କରୁଛି । ଆଉ ମାତ୍ର ସପ୍ତାହେ ପରେ ପାଳିତ ହେବ ଗଣେଷ ପୂଜା । କାରିଗର ଭଲ କିସମର ମାଟି ସଂଗ୍ରହ କରି ସେଥିରେ ପାଳ, ଛଣ, ବିଡାରେ ମାଟି ଓ କନା ଲେପ ଦେଇ ବିଭିନ୍ନ ରଙ୍ଗରେ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଅତିକମରେ ୫ରୁ ୬ ଦିନ ସମୟ ଲାଗୁଛି । ହେଲେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି ବ୍ୟବସାୟୀ ମାନେ ଅତି କମ୍ ସମୟରେ ମୂର୍ତ୍ତ ତିଆରି କରି ବେଶ ଲାଭବାନ ହୋଇ ପାରୁଛନ୍ତି । ମାଟି ମୂର୍ତ୍ତି କାରିଗର ମାନେ କେବଳ ପାର୍ବଣ ସମୟରେ ଦିନକୁ ମାତ୍ର ୩ଶହ ରୁ ୪ଶହ ଡଙ୍କ ରୋଜଗାର କରିବାକୁ ସକ୍ଷମ ହେଉଥଇବା ବେଳେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି ବ୍ୟବସାୟୀ ମାନେ ଲକ୍ଷାଧିକ ଟଙ୍କା ଲାଭବାନ ହେଉଥିବା ଜଣାପଡିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ମାଟିରେ ତିଆରି କରୁଥିବା ମୂର୍ତ୍ତି କାରିଗର ସେମାନଙ୍କ ପୂର୍ବ ପୁରୁଷର ପାରମ୍ପରିକ କୌଳିକ ବୃତ୍ତିକୁ ଆପଣାଇ ଏହି ବ୍ୟବସାୟ କରି ଆସୁଛନ୍ତି । ଯେତିକି ପରିଶ୍ରମ ହେଉଛି, ଠିକ୍ ପରିମାଣରେ ପାରିଶ୍ରମିକ ମିଳୁନଥିବା ନେଇ ସ୍ଥାନୀୟ ଅଞ୍ଚଳର ମାଟି ମୂର୍ତ୍ତି କାରିଗର ମାନେ କହିଛନ୍ତି । ମାଟି ମୂର୍ତ୍ତି କରୁଥିବା କାରିଗର ମାନଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ମାଟି ମୂର୍ତ୍ତି କାରିଗର ମାନେ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନ ଅଞ୍ଚଳର ଜଗଦିଶ ନାମକ ଜୈନିକ ମୂର୍ତ୍ତି କାରିଗର ଦୀର୍ଘ ୭ ବର୍ଷ ଧରି ପାର୍ବଣ ଋତୁରେ କିଛି ମୂର୍ତ୍ତି କାରିଗରଙ୍କୁ ସାଙ୍ଗରେ ଆଣି ପ୍ଳାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ଗଢି ହୋଲସେଲ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଛୋଟ ମୂର୍ତ୍ତି ଠାରୁ ଆରମ୍ଭ କରି ବଡବଡ ମୂର୍ତ୍ତି ଗଢି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଦର ୫୦ ଟଙ୍କାରୁ ଆରମ୍ଭ କରି ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସ୍ଥାନୀୟ ଅଞ୍ଚଳକୁ ୩ ମାସ ପାଇଁ ଆସି ପରିଶ୍ରମ କରି ୩ ରୁ ସାଢେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଥିବା ଜଗଦିଶ କହିଛନ୍ତି ।


