ଭଟ୍ଟାରିକା ନାମରେ ପୂଜା ପାଉଛନ୍ତି ଦଶଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା

ନିମାପଡ଼ା,( ସନ୍ତୋଷ ଦାଶ) ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ରହିଛି ଶତାଧିକ ପୁରାତନ ମନ୍ଦିର।ତା ମଧ୍ୟରୁ ଆମ୍ବାପଡ଼ା ଗ୍ରାମର ଦୁର୍ଗା ମନ୍ଦିର ଅନ୍ୟତମ। ଏହି ମନ୍ଦିରରେ ମା ଦୁର୍ଗା ଦଶଭୁଜା ମହିଷାମର୍ଦ୍ଧିନୀ ରୂପରେ ଭଟ୍ଟାରିକା ନାମ ରେ ପୂଜା ପାଉଛନ୍ତି ବୋଲି ବିଶିଷ୍ଟ ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥରେ ପ୍ରକାଶ କରିଥିବାବେଳେ ଏହି ଦୁର୍ଗା ମୂର୍ତ୍ତିଟି ଦଶମ ଶତାବ୍ଦୀର କୀର୍ତ୍ତିରାଜି ବୋଲି ପ୍ରାଚୀ ଗବେଷକ ଡଃ. ସନ୍ତୋଷ ମିତ୍ର ସୂଚନା ଦେଇଛନ୍ତି। ଏଠାରେ ଥିବା ମାଙ୍କ ପ୍ରଥମ ମନ୍ଦିର କାଳର କରାଳ ଗତିରେ ଧ୍ଵଂସ ପାଇଯାଇଛି। ପରେ ମାଙ୍କ ସେବକ ଓ ଶ୍ରଦ୍ଧାଳୁ ଭକ୍ତମାନେ ୧୯୮୩ ମସିହାରେ ମାଙ୍କ ନୂତନ (ବର୍ତ୍ତମାନ) ମନ୍ଦିର ନିର୍ମାଣ କରିଛନ୍ତି ବୋଲି ମାଙ୍କ ସେବକ ଦେବେନ୍ଦ୍ର ଦିକ୍ଷୀତ କହିଛନ୍ତି। ଶ୍ରୀ ଦିକ୍ଷୀତଙ୍କ ସୂଚନାନୁସାରେ ଆଶ୍ଵିନ ମାସ ମୂଳାଷ୍ଟମୀ ତିଥି ଠାରୁ ମାଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି। ପ୍ରାଚୀ ନଦୀ ରୁ ଶୁଦ୍ଧ ଜଳ କଳସରେ ଅଣାଯାଇ ମନ୍ଦିର ଗର୍ଭ ଗୃହରେ ସ୍ଥାପନା ସହିତ ଅଖଣ୍ଡ ଦୀପ ଜଳାଇ ଷୋଳପୂଜା ଆରମ୍ଭ ହୋଇଛି। ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କୁ ଷୋଡ଼ଶ ଉପଚାର ପୂଜା ପଦ୍ଧତିରେ ପୂଜା କରାଯିବ ଓ ପ୍ରତ୍ୟେକ ଦିନ ଗ୍ରାମବାସୀ ମାନଙ୍କ ପକ୍ଷରୁ ପାଳି କରି ମାଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯିବ। ମହାଷ୍ଟମୀ ବିଳମ୍ବିତ ରାତିରେ ମାଙ୍କ ସମ୍ମୁଖରେ ପାଣି କଖାରୁ ବଳି ଦିଆଯିବା ପରେ ନବମୀ ଦିନ ଶାନ୍ତି ହୋମ ଓ ଦଶହରା ଦିନ ପ୍ରାଚୀ ନଦୀରେ କଳସ ବିସର୍ଜନ କରାଯିବା ପରେ ଶେଷ ହେବ ମାଙ୍କ ଶାରଦୀୟ ପାର୍ବଣ ପୂଜା। ଏଠାରେ ପୂଜା ପାଉଥିବା ଦୁର୍ଗା ମୂର୍ତ୍ତି ଟି ପ୍ରାୟ ୩ ଫୁଟ ଉଚ୍ଚତାର କ୍ଲୋରାଇଟ ପଥର ରେ ନିର୍ମିତ ହୋଇଥିବାବେଳେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ କାରୁକାର୍ଯ୍ୟ ପୂର୍ଣ୍ଣ। ସିଂହ ଉପରେ ମା ଛିଡା ହୋଇ ମହିଷାସୁର କୁ ବଧ କରୁଥିବା ଦେଖିବାକୁ ମିଳେ। ମା ଦଶ ହାତ ରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି। ମନ୍ଦିରର ପାଶ୍ୱ ଦେବତା ଭାବେ ଶ୍ରୀ ଗଣେଶ ଓ ମା ଅମ୍ବା ପୁଜା ପାଇ ଆସୁଛନ୍ତି।ନିକଟସ୍ଥ ନିଭରଣ ଗ୍ରାମର ୧୦ ଘର ବ୍ରାହ୍ମଣ ପୂଜକ ପାଳି ଅନୁସାରେ ପ୍ରତିଦିନ ଆସି ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।ଶାରଦୀୟ ପାର୍ବଣ ପୂଜା ପାଇଁ ମା ଭଟ୍ଟାରିକାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ