ଦୁର୍ଗାପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଆଜି ଅପରାହ୍ନ ଘ. ୪.୩୦ମି ସମୟରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀ ମାନସ ଦତ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଓ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଯୋଗଦେଇଥିଲେ I ଏଥିସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୋଲିସ, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ I ଡିଏସ୍ପି ସିଟି ଶ୍ରୀ ଶୁଭ୍ରାଂଶୁ ଶେଖର ନାୟକ ସଭା ପରିଚାଳନା କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଦୁର୍ଗାପୂଜା ଲାଗି ବାଲେଶ୍ୱର ସହରରେ ପ୍ରାୟ ୯୫ଟି ମେଢ ନିର୍ମିତ ହେବାକୁ ଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭସାଣୀ ଯାତ୍ରା ନିଜନିଜର କ୍ରମାଙ୍କ ଅନୁଯାୟୀ ଅନୁମୋଦିତ ସମୟ ମଧ୍ୟରେ ଶୋଭାଯାତ୍ରା ସାରି ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି I ସେହିପରି ବାଡି ଖେଳରେ ଯେପରି ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଅସ୍ତଶସ୍ତ୍ର ବ୍ୟବହାର ନ ହୁଏ ସେଥିପାଇଁ କମିଟିଗୁଡିକ ଯତ୍ନବାନ ହେବା ସହ ପୋଲିସ ତନଖି କରିବାକୁ ମତପ୍ରକାଶ ପାଇଥିଲା । ଏହି ସମୟ ମଧ୍ୟରେ ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ଭସାଣୀ ଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଏବଂ ଡି.ଜେ ମୁ୍ୟଜିକ ସିଷ୍ଟମ ଓ ଲେଜର ଲାଇଟ ଉପରେ କଟକଣା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା ।ବାଲେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ପୂଜା କମିଟିମାନଙ୍କୁ ସମସ୍ତ ପ୍ରକାର ଅନୁମତି ପତ୍ର ଏବଂ ଆପତ୍ତି ବିହୀନ ପ୍ରମାଣପତ୍ର ଯୋଗାଇ ଦିଆଯିବ। ଆଖଡା ଖେଳ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ନିର୍ଦ୍ଧାରିତ ସମୟରେ ଏହାକୁ ଆରମ୍ଭ ଓ ଶେଷ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତାଘାଟ ମରାମତି, ମାଦକ ଦ୍ରବ୍ୟ ନିଷେଧ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ବିଶେଷ କରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବୈଠକରେ ମତାମତ ପ୍ରକାଶ ପାଇଥିବା ବେଳେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଶବ୍ଦର ତୀବ୍ରତା ୬୫ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ। ଶୂନ୍ୟଶବ୍ଦ ଅଞ୍ଚଳରେ ଶୋଭାଯାତ୍ରା ଗଲାବେଳେ କୌଣସି ଶବ୍ଦ ଯେପରି ନ ହୁଏ ତାହା ପୂଜା କମିଟି ମାନେ ନିଶ୍ଚିତ କରିବେ। ମେଢ଼ ଗୁଡ଼ିକରେ ସି.ସି.ଟି.ଭି ଲଗାଇବା ପାଇଁ ପୂଜା କମିଟି ସଦସ୍ୟମାନଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି I ଆସନ୍ତା ଦୁର୍ଗାପୂଜାକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଜିଲ୍ଲାପାଳ ଶ୍ରୀ ବିକାଶ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ